ଭୁବନେଶ୍ୱର: ସେପ୍ଟେମ୍ବରରେ ପୁଣି ଆସିପାରେ ବାତ୍ୟା। ଏନେଇ ବିଭିନ୍ନ ପାଣିପାଗ ମଡେଲ୍ର ଆକଳନ ଚର୍ଚ୍ଚାକୁ ଆସିଛି। ଆମେରିକାର GFS, ୟୁରୋପୀୟ ECMWF ଓ AI ମଡେଲ୍ ସମେତ IMDର ବିସ୍ତାରିତ ପରିସର ଆକଳନରେ ଆସନ୍ତା ଦିନରେ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗର ଅଞ୍ଚଳରେ ଏକ ନୂଆ ପାଣିପାଗ ବ୍ୟବସ୍ଥା ଗଠନର ସମ୍ଭାବନା ଦର୍ଶାଯାଇଛି। ତେବେ ଏହା ଏବେଠାରୁ ନିଶ୍ଚିତ ବାତ୍ୟା ବୋଲି କହିବା ସମୟ ହୋଇନାହିଁ।
IMDର ସେପ୍ଟେମ୍ବର ୧୫ର ଓଡ଼ିଶା ଚେତାବନୀରେ ୧୮ରୁ ୨୧ ତାରିଖ ମଧ୍ୟରେ ରାଜ୍ୟରେ ଭାରୀ ବର୍ଷା ପାଇଁ ଚେତାବନୀ ରହିଛି। ଅର୍ଥାତ୍ ଆଗାମୀ କିଛି ଦିନ ପାଣିପାଗ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ସେପଟେ ଉତ୍ତର ଥାଇଲ୍ୟାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ଆଶଙ୍କା କରୁଛନ୍ତି କିଛି ପାଣିପାଗ ବିଜ୍ଞାନୀ। ଏହାର ପରବର୍ତ୍ତୀ ଗତିବିଧି ଉପରେ ପାଣିପାଗ ବିଶେଷଜ୍ଞଙ୍କ ନଜର ରହିଛି
କ’ଣ କହୁଛି ମଡେଲ୍?
GFS ମଡେଲ୍ର ଆକଳନରେ ଆଗାମୀ ଦିନରେ ଦକ୍ଷିଣ ଚୀନ୍ ସାଗର ଅଞ୍ଚଳର ଏକ ବ୍ୟବସ୍ଥାର ଅବଶିଷ୍ଟାଂଶ ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରଭାବିତ କରିପାରେ। ପରବର୍ତ୍ତୀ ସମୟରେ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କିମ୍ବା ଘୂର୍ଣ୍ଣିବଳୟ ଗଠନର ସମ୍ଭାବନାକୁ କେତେକ ମଡେଲ୍ ଦର୍ଶାଉଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କଲେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଉପରେ ପ୍ରଭାବ ପଡ଼ିପାରେ।
ତେବେ ମଡେଲ୍ଗୁଡ଼ିକର ଏଭଳି ଦୀର୍ଘମିଆଦୀ ଆକଳନରେ ପରବର୍ତ୍ତୀ ଅପଡେଟ୍ ସହ ସମୟ, ଦିଗ ଓ ତୀବ୍ରତାରେ ପରିବର୍ତ୍ତନ ହୋଇପାରେ। ତେଣୁ ଏବେଠାରୁ ଏହାକୁ ବାତ୍ୟା ଭାବେ ନିଶ୍ଚିତ କରିବା ଠିକ୍ ହେବ ନାହିଁ।
ଏପଟେ ୪ ଦିନ ବର୍ଷା
ବାତ୍ୟା ଚର୍ଚ୍ଚା ମଧ୍ୟରେ ରାଜ୍ୟରେ ବର୍ଷା ଜାରି ରହିବ। IMDର ଓଡ଼ିଶା ଚେତାବନୀ ଅନୁଯାୟୀ ୧୮ରୁ ୨୧ ସେପ୍ଟେମ୍ବର ମଧ୍ୟରେ ଭାରୀ ବର୍ଷାର ସମ୍ଭାବନା ରହିଛି। ଆଣ୍ଡାମାନ-ନିକୋବର ଅଞ୍ଚଳ ପାଇଁ ମଧ୍ୟ ୧୬ରୁ ୨୧ ସେପ୍ଟେମ୍ବର ଯାଏ ଭାରୀ ବର୍ଷା ଓ ବଜ୍ରପାତର ଚେତାବନୀ ରହିଛି।
ତେଣୁ ଆସନ୍ତା କିଛି ଦିନ ବଙ୍ଗୋପସାଗର ଉପରେ ନଜର ରହିବ। ଲଘୁଚାପ ଗଠନ ହେଉଛି କି, ଏହା କେତେ ଘନୀଭୂତ ହେଉଛି ଏବଂ କେଉଁ ଦିଗକୁ ଗତି କରୁଛି, ପରବର୍ତ୍ତୀ IMD ଅପଡେଟ୍ରେ ଏହାର ଚିତ୍ର ଅଧିକ ସ୍ପଷ୍ଟ ହେବ। ପାଣିପାଗ ବିଶେଷଜ୍ଞମାନେ ମଧ୍ୟ କହୁଛନ୍ତି ଯେ ଆସନ୍ତା କିଛି ଦିନର ମଡେଲ୍ ଆକଳନ ଉପରେ ନଜର ରଖିବା ଜରୁରୀ। ବର୍ତ୍ତମାନ ସ୍ଥିତିରେ ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ, ତୀବ୍ରତା କିମ୍ବା ଲ୍ୟାଣ୍ଡଫଲ୍ ସ୍ଥାନ କହିବା ସମୟ ହୋଇନାହିଁ।