ଭୁବନେଶ୍ୱର: ଓଡ଼ିଶାର ରେଳ ଭିତ୍ତିଭୂମିକୁ ମିଳିବାକୁ ଯାଉଛି ଐତିହାସିକ ବୁଷ୍ଟ। କେନ୍ଦ୍ର ସରକାରଙ୍କ ‘ପୂର୍ବୋଦୟ ଭିଜନ୍’ ଅଧୀନରେ ରାଜ୍ୟ ପାଇଁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ରେଳ ପ୍ରକଳ୍ପ ଯୋଜନା କରାଯାଇଥିବା ବେଳେ, ଏଥିମଧ୍ୟରୁ ୭୦ ହଜାର କୋଟିର ପ୍ରକଳ୍ପକୁ ଅନୁମୋଦନ ମିଳିସାରିଛି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ରେଳମନ୍ତ୍ରୀଙ୍କ କହିବା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ୪୦ଟି ରେଳ ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ଚାଲିଛି। ୪,୦୧୭ କିଲୋମିଟର ରେଳପଥ ବିକାଶ ପାଇଁ ମୋଟ ୫୪,୪୩୪ କୋଟି ବିନିଯୋଗ କରାଯାଉଛି। ଏହାସହ କେନ୍ଦ୍ର କ୍ୟାବିନେଟ୍ର ଅର୍ଥନୈତିକ ବ୍ୟାପାର କମିଟି ଅନୁମୋଦନ କରିଥିବା ୮ଟି ରେଳ ପ୍ରକଳ୍ପ ମଧ୍ୟରୁ ୬ଟି ସିଧାସଳଖ ଓଡ଼ିଶାକୁ ମିଳିଛି, ଯାହାର ମୂଲ୍ୟ ପ୍ରାୟ ୧୫,୦୦୪ କୋଟି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଜମି ଅଧିଗ୍ରହଣ ସମେତ ସମସ୍ତ କ୍ଷେତ୍ରରେ ରାଜ୍ୟ ସରକାର ପୂର୍ଣ୍ଣ ସହଯୋଗ କରିବେ ବୋଲି ଆଶ୍ୱାସନ ଦେଇଛନ୍ତି।
କେଉଁ କେଉଁ ନୂଆ ରେଳ ଲାଇନ୍?
- ଗୁଣୁପୁର–ଥେରୁବାଲି (୭୩.୬୨ କିମି)
- ଜୁନାଗଡ଼ ରୋଡ୍–ନବରଙ୍ଗପୁର (୧୧୬.୨୧ କିମି)
- ମାଲକାନଗିରି–ପାଣ୍ଡୁରଙ୍ଗପୁରମ (୧୭୩.୬୧ କିମି)
- ବାଦାମପାହାଡ଼–କେନ୍ଦୁଝର
- ବାଙ୍ଗିରିପୋଷି–ଗୋରୁମହିଶାଣି
- ବୁରାମରା–ଚାକୁଲିଆ
ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ସଂଯୋଗ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବ। ଏହା ସହ କୃଷିଜାତ ଉତ୍ପାଦ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ବକ୍ସାଇଟ୍, ଚୂନପଥର ଓ ଆଲୁମିନିୟମ ଭଳି ଶିଳ୍ପ ସାମଗ୍ରୀର ପରିବହନ ଆହୁରି ସହଜ ଓ ଦ୍ରୁତ ହେବ। ରେଳ ନେଟୱର୍କର ସେବା, ଗତିଶୀଳତା ଓ ନିର୍ଭରଯୋଗ୍ୟତା ମଧ୍ୟ ବଢ଼ିବ ବୋଲି ରେଳମନ୍ତ୍ରୀ କହିଛନ୍ତି।