ସମ୍ବଲପୁର: ପାଣିପାଗ ପୂର୍ବାନୁମାନରେ ଓଡ଼ିଶାକୁ ମିଳିଲା ଆଉ ଏକ ବଡ଼ ଶକ୍ତି। ସମ୍ବଲପୁର ଜମାଦାରପାଲିରେ ଅତ୍ୟାଧୁନିକ ଡପ୍ଲର ୱେଦର ରାଡାର ଷ୍ଟେସନ ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ଏହି ରାଡାରର ଶୁଭାରମ୍ଭ କରିଛନ୍ତି। ଏହା ଫଳରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଣିପାଗ ଆକଳନ ଆହୁରି ସଠିକ୍ ଓ ଦ୍ରୁତ ହୋଇପାରିବ।
ଉଦ୍ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ରାଜ୍ୟମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ, ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ର, IMD ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏବଂ OSDMA ଏମ୍ଡି ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ।
IMD ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA)ର ମିଳିତ ସହଯୋଗରେ ଏହି ରାଡାର ସ୍ଥାପନ କରାଯାଇଛି। ଏପର୍ଯ୍ୟନ୍ତ ପାରାଦୀପ ଓ ଗୋପାଳପୁର ରାଡାର ମୁଖ୍ୟତଃ ଉପକୂଳ ଅଞ୍ଚଳର ପାଣିପାଗ ଉପରେ ନଜର ରଖୁଥିଲା। ଏବେ ସମ୍ବଲପୁର ରାଡାର ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପାଇଁ ପାଣିପାଗ ନିରୀକ୍ଷଣର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବ।
ଏହି ଅତ୍ୟାଧୁନିକ ବ୍ୟବସ୍ଥା ଜରିଆରେ ବଜ୍ରପାତ, ପ୍ରବଳ ବର୍ଷା, କୁଆପଥର ବର୍ଷା, ଝଡ଼, ଲଘୁଚାପ ଓ ବାତ୍ୟା ଭଳି ପାଣିପାଗ ଘଟଣାର ରିଅଲ୍-ଟାଇମ୍ ଟ୍ରାକିଂ ଆହୁରି ସଠିକ୍ ଭାବେ କରାଯାଇପାରିବ।
ସମ୍ବଲପୁର, ବୌଦ୍ଧ, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର ଓ କନ୍ଧମାଳ ସମେତ ପ୍ରାୟ ୧୦ରୁ ୧୨ଟି ଜିଲ୍ଲା ଏଥିରୁ ସିଧାସଳଖ ଉପକୃତ ହେବେ। ଏହା ସହ ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା ଓ ସୁରକ୍ଷା ଏବଂ ଝାରସୁଗୁଡ଼ା ବିମାନବନ୍ଦରର ନାଭିଗେସନ୍ ସୁରକ୍ଷାରେ ମଧ୍ୟ ରାଡାରଟି ବେଶ୍ ସହାୟକ ହେବ।
ତେବେ ଏହି ପ୍ରକଳ୍ପର ଯାତ୍ରା ଏତେ ସହଜ ନଥିଲା। ୨୦୧୫-୧୬ରେ ପରିକଳ୍ପନା ହୋଇଥିବା ଏହି ପ୍ରକଳ୍ପ ପ୍ରଶାସନିକ ବାଧା ଯୋଗୁଁ ପ୍ରାୟ ୭ ବର୍ଷ ଧରି ଅଧପନ୍ତରିଆ ହୋଇ ପଡ଼ିଥିଲା। ଶେଷରେ ପୁଣି ତ୍ୱରାନ୍ୱିତ ହୋଇ ଏବେ ଏହା ଲୋକାର୍ପିତ ହୋଇଛି। ରାଡାରର କାର୍ଯ୍ୟକ୍ଷମତା ଆରମ୍ଭ ହେବା ପରେ ପଶ୍ଚିମ ଓଡ଼ିଶାରେ ଆଗୁଆ ପାଣିପାଗ ସୂଚନା ଓ ବିପର୍ଯ୍ୟୟ ପ୍ରସ୍ତୁତି ଆହୁରି ମଜବୁତ ହେବ।