ପୁରୀ: ସକାଳେ ଦହିବରା ଖାଇଥିଲେ, ରାତି ସୁଦ୍ଧା ଆରମ୍ଭ ହେଲା ବାନ୍ତି, ଝାଡ଼ା ଓ ମୁଣ୍ଡ ବୁଲାଇବା। ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଙ୍ଗୁରିଗାଁ ପଞ୍ଚାୟତର ଟେଣ୍ଟୁଳିଆ ଗାଁରେ ଦହିବରା ଖାଇବା ପରେ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିବା ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।
ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ଜଣେ ବୁଲା ବ୍ୟବସାୟୀଙ୍କଠାରୁ ଗ୍ରାମବାସୀ ଦହିବରା କିଣି ଖାଇଥିଲେ। ତେବେ ରାତିକୁ ଜଣଙ୍କ ପରେ ଜଣ ଲୋକଙ୍କଠାରେ ବାନ୍ତି, ଝାଡ଼ା ଓ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଦେଇଥିଲା। ପରିସ୍ଥିତି ଗୁରୁତର ହେବାରୁ ଅସୁସ୍ଥମାନଙ୍କୁ ତୁରନ୍ତ ବାଙ୍ଗୁରିଗାଁ କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ଭର୍ତ୍ତି କରାଯାଇଥିଲା।
ଡାକ୍ତରଙ୍କ ଚିକିତ୍ସା ପରେ ଅଧିକାଂଶ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ତେବେ ଘଟଣାକୁ ନେଇ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାପ୍ତ ଡାକ୍ତର ନଥିବା ଅଭିଯୋଗ ଆଣି ସ୍ୱାସ୍ଥ୍ୟସେବାରେ ଅବହେଳା ନେଇ ପ୍ରଶ୍ନ ଉଠାଇଛନ୍ତି।
ଏପଟେ ଖାଦ୍ୟ ବିଷାକ୍ତତାର ପ୍ରକୃତ କାରଣ ଜାଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଦହିବରାର ନମୁନା ସଂଗ୍ରହ କରିଛି। ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତା ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।