ନୂଆଦିଲ୍ଲୀ: ଘରୋଇ ବିମାନ କମ୍ପାନୀରେ କାମ କରୁଥିବା ବିମାନ ଚାଳକଙ୍କ ସୁରକ୍ଷାକୁ ନେଇ 'ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ପାଇଲଟ୍ସ୍' ଚିନ୍ତା ପ୍ରକଟ କରିଛି । କର୍ତ୍ତବ୍ୟରତ ଅବସ୍ଥାରେ ପାଇଲଟଙ୍କ ମୃତ୍ୟୁକୁ ନେଇ ବିମାନ ଚାଳକ ସଂଘ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତଥା ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନକୁ ପତ୍ର ଲେଖିଛି ।
ସଂଘ 'ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ୍' (FDTL) ବା ବିମାନରେ ଡ୍ୟୁଟି ସମୟ ନିୟମାବଳୀ ଅଧୀନରେ ବର୍ତ୍ତମାନ ବିମାନ ସଂସ୍ଥାଗୁଡ଼ିକୁ ଦିଆଯାଇଥିବା ସମସ୍ତ ସୁବିଧାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି । ଏହା ସହିତ ମୃତ୍ୟୁ ଘଟଣାଗୁଡ଼ିକର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଚିଠିରେ ଉଲ୍ଲେଖ କରିଛି । ସେହିପରି ଭବିଷ୍ୟତରେ ପାଇଲଟଙ୍କ ପାଇଁ ନିର୍ଦ୍ଧାରଣ ହେବାକୁ ଥିବା ନିୟମ ଏବଂ ବୈଠକରେ ସଂଘର ଜଣେ ପ୍ରତିନିଧିଙ୍କୁ ସାମିଲ କରିବାକୁ ଦାବି କରାଯାଇଛି ।
ମନ୍ତ୍ରାଳୟକୁ ପଠାଯାଇଥିବା ଏକ ଇ-ମେଲ୍ରେ ଏଫଆଇପି ସଭାପତି କ୍ୟାପଟେନ୍ ସି.ଏସ୍. ରନ୍ଧାୱା କହିଛନ୍ତି ଯେ ପାଇଲଟ୍ମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା କ୍ଳାନ୍ତି, କଠୋର କର୍ତ୍ତବ୍ୟ ନିୟମାବଳୀ ଏବଂ ସାମ୍ପ୍ରତିକ ମୃତ୍ୟୁ ଘଟଣାକୁ ନେଇ ସମଗ୍ର ପାଇଲଟ୍ ସମ୍ପ୍ରଦାୟ ଗଭୀର ଉଦ୍ବେଗ ପ୍ରକାଶ କରିଛି। ଚାଳକଙ୍କ ମୃତ୍ୟୁ କେବଳ ଗୋଟିଏ କାରଣ ନାହିଁ ବରଂ ଏଥିରେ ଅନେକ କାରଣ ଯୋଡ଼ି ହୋଇ ରହିଛି । ଡ୍ୟୁଟି ସୂଚୀ ପ୍ରସ୍ତୁତି, ବିଶ୍ରାମ ସମୟ, ସ୍ୱାସ୍ଥ୍ୟଗତ ତଦାରଖ ଏବଂ 'କ୍ଳାନ୍ତି ଜନିତ ବିପଦ ପରିଚାଳନା ବ୍ୟବସ୍ଥା' ର ସମୀକ୍ଷା କରିବାର ଆବଶ୍ୟକତା ରହିଛି ।
ଉଲ୍ଲେଖ ଯୋଗ୍ୟ ନଭେମ୍ବର, ୨୦୨୩ରେ ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ୍-୩ ଠାରେ ଏୟାର୍ ଇଣ୍ଡିଆର ଜଣେ ପାଇଲଟ୍ଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଫେବୃଆରୀ, ୨୦୨୪ କତାର୍ ଏୟାରୱେଜ୍ରେ କାର୍ଯ୍ୟରତ ଜଣେ ଭାରତୀୟ ପାଇଲଟ୍ ଦିଲ୍ଲୀ-ଦୋହା ଫ୍ଲାଇଟରେ କାର୍ଯ୍ୟରତ ଅବସ୍ଥାରେ ଅସୁସ୍ଥ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ପ୍ରାଣ ହରାଇଥିଲେ। ସେହିପରି ଏପ୍ରିଲ୍ ୨୦୨୪, ଏୟାର୍ ଇଣ୍ଡିଆ ଏବଂ ଆକାଶା ଏୟାର୍ ଜଣେ ଲେଖାଏଁ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ।