ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ମୃତ୍ୟୁ ମାମଲାରେ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଓ ଏନସିପି (ଏସପି) ଅନିଲ ଦେଶମୁଖଙ୍କୁ ବଡ଼ ଝଟକା ଲାଗିଛି । ଦିଶାଙ୍କ ବାପା ସତୀଶ ସାଲିଆନଙ୍କ ଅଭିଯୋଗ ଅନୁସାରେ ଉଭୟଙ୍କୁ ୫୦୦ କୋଟିର ନୋଟିସ୍ ପଠାଯାଇଛି ।
ନୋଟିସରେ କୁହାଯାଇଛି ଯେ ଆଦିତ୍ୟ ଠାକରେ ଓ ଅନିଲ ଦେଶମୁଖ ଦିଶାଙ୍କ ମୃତ୍ୟୁ ମାମଲାରେ ରାଜନୈତିକ ପ୍ରଭାବ ପକାଇବାକୁ ଚେଷ୍ଟା କରିଛନ୍ତି । ଉଭୟ ରାଜନୈତିକ କଳ ବଳ କୌଶଳ ଲଗାଇ ସତୀଶଙ୍କ ଛବି ମଳିନ କରିବାକୁ ଚେଷ୍ଟା କରିଛନ୍ତି । ଅଭିଯୋଗଗୁଡ଼ିକ ମିଥ୍ୟା, ଭିତ୍ତିହୀନ, ଦାୟିତ୍ୱହୀନ ଏବଂ ମାନହାନି ଅଟେ। ଏହି ଅଭିଯୋଗଗୁଡ଼ିକ କୌଣସି ବିଶ୍ୱସନୀୟ ପ୍ରମାଣ କିମ୍ବା ବିନା ଆଧାରରେ ଏବଂ କେବଳ ଉଭୟଙ୍କ ଅନୁଚିତ ଓ ଗୁପ୍ତ ଉଦ୍ଦେଶ୍ୟ ସାଧନ ପାଇଁ କରାଯାଇଛି। ଯଦ୍ୱାରା ସତୀଶ ସାଲିଆନଙ୍କ ସଚ୍ଚୋଟତା, ବିଶ୍ୱସନୀୟତା ଏବଂ ସାଧୁତା ଉପରେ ସିଧାସଳଖ ପ୍ରଭାବ ପକାଇଛି । ରାଜନୈତିକ ଶକ୍ତିର ଅପବ୍ୟବହାର କରି ଜଣେ ଶୋକସନ୍ତପ୍ତ ପିତାଙ୍କ ସମ୍ମାନକୁ ହାନି ପହଁଚାଇବାକୁ ଚେଷ୍ଟା କରାଯାଇଥିବା ସେ କହିଛନ୍ତି ।
ଖାଲି ସେତିକି ନୁହେଁ ଆଦିତ୍ୟ ଠାକରେ ମିଥ୍ୟା ଦାବି ବାବଦରେ ମଧ୍ୟ ନୋଟିସରେ ଉଲ୍ଲେଖ ରହିଛି । ସିବିଆଇ ତାଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ଆଦିତ୍ୟ କହିଛନ୍ତି । ତାଙ୍କୁ ହଇରାଣ କରିବାକୁ ତାଙ୍କ ଉପରେ ମିଥ୍ୟା ଆରୋପ ଲଗାଯାଇଛି । ଆଉ ଏଥିରେ ତାଙ୍କୁ ଅନିଲ ଦେଶମୁଖ ସମର୍ଥନ ମଧ୍ୟ କରିଛନ୍ତି ।
ସତୀଶ ସାଲିଆନ, ଲିଖିତ ଏବଂ ସାର୍ବଜନୀନ ଭାବରେ ନିଃସର୍ତ୍ତ, ସ୍ପଷ୍ଟ ଏବଂ ସମ୍ପୂର୍ଣ୍ଣ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ଏହା ସହିତ ସେ କିଛିଟା ସର୍ତ୍ତ ମଧ୍ୟ ରଖିଛନ୍ତି । ଆଦିତ୍ୟ ଓ ଅନିଲଙ୍କ କ୍ଷମା ପ୍ରାର୍ଥନା ଭିଡିଓ କ୍ଷମା ପ୍ରାର୍ଥନା ଅତି କମରେ ତିନି ମିନିଟ୍ ଲମ୍ବା ହେବା ଉଚିତ ଏବଂ ଉଭୟ ନେତାଙ୍କ ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରାଯିବା ଉଚିତ। ଏହା ସହ ସମସ୍ତ ପ୍ରମୁଖ ପ୍ରିଣ୍ଟ, ଟିଭି ଏବଂ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମରେ ପ୍ରକାଶିତ ଏବଂ ପ୍ରସାରିତ ହେବା ଉଚିତ ।