ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ଗଠିତ 'ସୀମା ଯୁଗ୍ମ ଆୟୋଗ'କୁ ଭାରତ ସରକାର ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି। ବୁଧବାର ବୈଦେଶିକ ମନ୍ତ୍ରାଳୟ ଏକ ସ୍ପଷ୍ଟୀକରଣ ଜାରି କରି କହିଛି ଯେ ଏହି ମିଳିତ ଆୟୋଗର କୌଣସି ଆଇନଗତ ଅଧିକାର କିମ୍ବା ବୈଧତା ନାହିଁ। ବୈଦେଶିକ ମନ୍ତ୍ରାଳୟର ସରକାରୀ ମୁଖପାତ୍ର ରଣଧୀର ଜୟସ୍ୱାଲ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ କୌଣସି ସୀମା ନାହିଁ। ଜମ୍ମୁ-କଶ୍ମୀର ଏବଂ ଲଦାଖ ସର୍ବଦା ଭାରତର ଅଭିନ୍ନ ଅଙ୍ଗ ଥିଲେ, ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏହାପୂର୍ବରୁ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନ-ଚୀନ୍ ସୀମା ଯୁଗ୍ମ ଆୟୋଗର କାର୍ଯ୍ୟକାରିତାକୁ ନେଇ ଏକ ସୋସିଆଲ୍ ମିଡିଆ ପୋଷ୍ଟ କରାଯାଇଥିଲା। ଇସ୍ଲାମାବାଦରେ ଅନୁଷ୍ଠିତ ଏକ ବୈଠକରେ ଉଭୟ ଦେଶ ସୀମା ପ୍ରବନ୍ଧନ, ମିଳିତ ସର୍ବେକ୍ଷଣ ଏବଂ ବାଣିଜ୍ୟ ବୃଦ୍ଧି ନାମରେ ଏହି ଆୟୋଗକୁ ସକ୍ରିୟ କରିଥିବା ଦାବି କରିଥିଲେ। ଏହାର ଜବାବରେ MEA ମୁଖପାତ୍ର କହିଛନ୍ତି ଯେ, ୧୯୬୩ ମସିହାର କଥିତ ଚୀନ୍-ପାକିସ୍ତାନ ସୀମା ଚୁକ୍ତିକୁ ଭାରତ କେବେବି ସ୍ୱୀକୃତି ଦେଇନାହିଁ ଏବଂ ଏହି ବୁଝାମଣା ସମ୍ପୂର୍ଣ୍ଣ ରୂପେ ବେଆଇନ ତଥା ଅମାନ୍ୟ ଅଟେ। ପାକିସ୍ତାନ ଅବଧି ବିଳମ୍ବ ନକରି ଭାରତର ସେହି ଅଞ୍ଚଳଗୁଡ଼ିକୁ ତୁରନ୍ତ ଖାଲି କରୁ, ଯାହାକୁ ସେ ବଳପୂର୍ବକ ଏବଂ ବେଆଇନ ଭାବେ ଦଖଲ କରି ରଖିଛି।
ସାର୍ବଭୌମତ୍ୱକୁ ନେଇ କଡ଼ା ବାର୍ତ୍ତା
ମୁଖପାତ୍ର ରଣଧୀର ଜୟସ୍ୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ଓ ଚୀନ୍ ମଧ୍ୟରେ କୌଣସି ପ୍ରକାରର ଆନ୍ତର୍ଜାତୀୟ ସୀମା ବା ବର୍ଡର ନାହିଁ। ଏହି ନାମମାତ୍ର ମିଳିତ ଆୟୋଗର କୌଣସି ଆଇନଗତ ଆଧାର ନାହିଁ, ତେଣୁ ଭାରତ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁଛି। ଏଭଳି ଅଞ୍ଚଳର ସ୍ଥିତି ବଦଳାଇବା କିମ୍ବା ବେଆଇନ ଦଖଲକୁ ବୈଧ ସାବ୍ୟସ୍ତ କରିବାର ଯେକୌଣସି ପ୍ରଚେଷ୍ଟାକୁ ଭାରତ ଦୃଢ଼ ବିରୋଧ କରିବ, ଯାହା ଭାରତର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାକୁ କ୍ଷୁର୍ଣ୍ଣ କରୁଛି। ଭାରତୀୟ ଅଞ୍ଚଳକୁ ନେଇ ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ହେଉଥିବା କୌଣସି ବି ସୀମାଗତ ସହଯୋଗ ସମ୍ପୂର୍ଣ୍ଣ ଅଗ୍ରହଣୀୟ ଅଟେ।