ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଭାରତ ଇତିହାସର ସବୁଠାରୁ ବଡ଼ ମାଓ ହିଂସା ଭାବେ ପରିଚିତ ଝୀରମ ଘାଟି ମାଓ ହିଂସା ମାମଲାରେ ଦୋଷୀ ସାବ୍ୟସ୍ତ ସମସ୍ତ ୧୦ ଅଭିଯୁକ୍ତଙ୍କୁ ଏନଆଇଏ ଅଦାଲତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ବୁଧବାର ଜଗଦଲପୁରସ୍ଥିତ ଏନଆଇଏ ସ୍ୱତନ୍ତ୍ର ଅଦାଲତର ବିଚାରପତି ଅଜୟ ସିଂହ ରାଜପୁତ ଏହି ରାୟ ଶୁଣାଇଛନ୍ତି ।
ଗତ ଅଗଷ୍ଟ ୧୨ ତାରିଖରେ ଏନଆଇଏ ସ୍ୱତନ୍ତ୍ର ଅଦାଲତ ମାମଲାର ଶୁଣାଣି କରି ରାୟ ସୁରକ୍ଷିତ ରଖିଥିଲେ । ଏହା ପରେ ସେପ୍ଟେମ୍ବର ୫ ତାରିଖରେ ରାୟ ପ୍ରକାଶ ପାଇଥିଲା । ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ମୋଟ ୧୦୧ ଜଣଙ୍କ ସାକ୍ଷୀଙ୍କ ବୟାନ ଆଧାରରେ ବିଚାରପତି ଏହି କଠୋର ଦଣ୍ଡବିଧାନ କରିଛନ୍ତି । ଅଭିଯୁକ୍ତ ପ୍ରମିଳା ମୋଡ଼ିୟାମ, ସୁମିତ୍ରା ପୁନେମ, ମୁକ୍କା ମାଣ୍ଡବୀ, ମଡ଼କାମୀ ଦେବା, କୋସା କବାସୀ, ଆୟତ ମରକାମ, ବଞ୍ଜାମୀ ସେନା, ଚୈତୁ ଲେକାମ, ଜୋଗା ମଡ଼କାମୀ ଏବଂ ମହାଦେବ ନାଗା ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।
ଉଲ୍ଲେଖ ଯୋଗ୍ୟ, ୨୫ ମେ, ୨୦୧୩ ମସିହାରେ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଦରଭା ଥାନା ଅନ୍ତର୍ଗତ ଝୀରମ ଘାଟିଠାରେ ବଡ଼ ଧରଣର ମାଓବାଦୀ ଆକ୍ରମଣ ହୋଇଥିଲା । କଂଗ୍ରେସର ଶୋଭାଯାତ୍ରା ଉପରେ ମାଓବାଦୀମାନେ ଅତର୍କିତ ଗୁଳି ବର୍ଷା କରିଥିଲେ । ମେ ୨୫ ଓ ୨୬ରେ ନକ୍ସଲଙ୍କ ଦ୍ୱାରା ବନ୍ଦ ଡାକରା ଦିଆଯାଇଥିବାବେଳେ ଛତିଶଗଡ଼ କଂଗ୍ରେସ ପକ୍ଷରୁ ‘ପରିବର୍ତ୍ତନ ଯାତ୍ରା’ର ଆୟୋଜନ କରାଯାଇଥିଲା । ଯେଉଁଥିରେ ତମାମ କଂଗ୍ରେସ ନେତା ସାମିଲ ଥିଲେ । ଏହି ଶୋଭାଯାତ୍ରା ଝୀରମ ଘାଟି ଅତିକ୍ରମ କରୁଥିବାବେଳେ ପ୍ରାୟ ୧୫୦ ପାଖାପାଖି ମାଓବାଦୀ ଆକ୍ରମଣ କରିଥିଲେ । ଚାହୁଁ ଚାହୁଁ ଆଖି ପିଛୁଳାକେ ଗୁଳି ବର୍ଷା କରିଥିଲେ ।
୩ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ
ଏଥିରେ ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର କର୍ମା, ଛତିଶଗଡ଼ କଂଗ୍ରେସ ସଭାପତି ନନ୍ଦ କୁମାର ପଟେଲ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟା ଚରଣ ଶୁକ୍ଳାଙ୍କ ସମେତ ମୋଟ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା ।
୧୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏନଆଇଏ
ମାମଲାର ଗମ୍ଭୀରତାକୁ ଦେଖି ଏହାର ତଦନ୍ତ ଭାର ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା । ଯେଉଁଥିରେ ଏନଆଇଏ ତଦନ୍ତ କରି ୨୦୧୫ ମସିହାରେ ଏକ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ମୋଟ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୮ ଜଣ ଗୁରୁତର ଆହତ ହୋଇଥିଲେ । ମାତ୍ର ଏନଆଇଏ ତାର ରିପୋର୍ଟରେ ୨୭ ଜଣଙ୍କୁ ମୃତ ଦର୍ଶାଇଛି । ଏହା ସହିତ ୧୧ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । ଏହାରି ମଧ୍ୟରେ ଜଣେ ବିଚାରଧୀନ କଏଦୀଙ୍କର ମୃତ୍ୟୁ ହୋଇସାରିଥିବାବେଳେ ୧୦ ଜୀବିତ ଅଛନ୍ତି । ସମସ୍ତେ ଜଗଦଲପୁର ମଣ୍ଡଳ କାରଗାରରେ ବନ୍ଦୀ ଅଛନ୍ତି ।