ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଏଥର ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଅନେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହାମଧ୍ୟରେ ଦଳ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ 'ଭାରତ ରତ୍ନ' ପ୍ରଦାନ କରିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏହାର ଜବାବ ରଖିଛନ୍ତି। ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ମାସବ୍ୟାପୀ ଚାଲିଥିବା 'ସେବା ସଂକଳ୍ପ ଅଭିଯାନ'ର ଉଦ୍ଯାପନୀ ଅବସରରେ ପିଏମ ମୋଦିଙ୍କୁ ଏହି ସମ୍ମାନ ଦେବା ପାଇଁ କୌଣସି ପ୍ରସ୍ତାବ ରହିଛି କି?
ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ସ୍ପଷ୍ଟ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଭାରତ ରତ୍ନ ଦେବା ପ୍ରସଙ୍ଗରେ ଶାସକ ଦଳ ବିଜେପି ଭିତରେ ବର୍ତ୍ତମାନ କୌଣସି ଆଲୋଚନା ହୋଇନାହିଁ। ସେ କହିଛନ୍ତି, "ଯେଉଁଠାରେ ସର୍ବୋଚ୍ଚ ନାଗରିକ ସମ୍ମାନ (ଭାରତ ରତ୍ନ) ର କଥା, ଦଳ ଏଭଳି ମାମଲାରେ ଉପଯୁକ୍ତ ସମୟରେ ନିଷ୍ପତ୍ତି ନେଇଥାଏ।
ଆପଣଙ୍କ ପରାମର୍ଶ ବହୁତ ଭଲ, କିନ୍ତୁ ଏହି ବିଷୟରେ ବର୍ତ୍ତମାନ କୌଣସି ଆଲୋଚନା ହୋଇନାହିଁ।" ଅନ୍ୟପକ୍ଷରେ, ବିରୋଧୀମାନେ ପିଏମ ମୋଦିଙ୍କୁ ଜଣେ ଏକଛତ୍ରବାଦୀ ବା ତାନାଶାହ ଭାବେ କାମ କରୁଥିବା ନେଇ ଆଣିଥିବା ଅଭିଯୋଗକୁ ଖଣ୍ଡନ କରି ନଡ୍ଡା କହିଛନ୍ତି ଯେ ସେ (ପ୍ରଧାନମନ୍ତ୍ରୀ) ହେଉଛନ୍ତି ବିଶ୍ୱର ସବୁଠାରୁ ଅଧିକ ଗଣତାନ୍ତ୍ରିକ ନେତା, ଯାହାକୁ ସମଗ୍ର ବିଶ୍ୱ ଦେଖିଛି।
ଦେଶବ୍ୟାପୀ 'ସେବା ସଂକଳ୍ପ ଅଭିଯାନ'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସର୍ବସାଧାରଣ ଜୀବନରେ ଜନସେବାର ୨୫ ବର୍ଷ ପୂର୍ତି ଅବସରରେ ବିଜେପି ପକ୍ଷରୁ ଏକ ଦେଶବ୍ୟାପୀ 'ସେବା ସଂକଳ୍ପ ଅଭିଯାନ' ଚଳାଇବାକୁ ଘୋଷଣା କରାଯାଇଛି। ଦଳର ଜାତୀୟ ସଭାପତି ନୀତିନ ନବୀନ କହିଛନ୍ତି ଯେ ଆସନ୍ତା ଅକ୍ଟୋବର ୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନସେବା ଏବଂ ସମର୍ପଣର ୨୫ ବର୍ଷ ପୂରା ହେବ। ଏହି ଅବସରରେ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଗୁଜରାଟର ବଡ଼ନଗରଠାରୁ ବାରାଣସୀ ପର୍ଯ୍ୟନ୍ତ ଏକ 'ସେବା ଯାତ୍ରା' ବାହାର କରାଯିବ। ଏହି ଯାତ୍ରା ଦେଶର ୧୭ଟି ରାଜ୍ୟ ଦେଇ ଅତିକ୍ରମ କରିବ। ବିଭିନ୍ନ ସ୍ଥାନରେ ଯୁବକମାନଙ୍କର ଟୋଳୀ ଗଠନ କରାଯିବ ଏବଂ ପ୍ରତ୍ୟେକ ଟୋଳୀରେ ୫୦ ଜଣ ଯୁବକ ସାମାମିଲ ରହିବେ। ଏହି ଯାତ୍ରା ଏବଂ କାର୍ଯ୍ୟକ୍ରମ ଜରିଆରେ ପିଏମ ମୋଦିଙ୍କ ୨୫ ବର୍ଷର ସାଧାରଣ ଜୀବନ ଏବଂ କେନ୍ଦ୍ର ସରକାରଙ୍କ ସଫଳତାଗୁଡ଼ିକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।