ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହର ଉପରେ ପାକିସ୍ତାନ ପୁରସ୍କାର ବଢ଼ାଇବାକୁ ନେଇ ଭାରତ ମୁହତୋଡ଼ ଜବାବ ଜବାବ ଦେଇଛି । ଏହା ପାକିସ୍ତାନ ପୁରୁଣା ନାଟକ ବୋଲି କହିଛି ଭାରତ ।
ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଇସ୍ଲାମାବାଦ ଯେଉଁ ଘୋଷଣା କରିଛି ତାହାର କୌଣସି ନିଷ୍କର୍ଷ ବାହାରିବାର ସମ୍ଭାବନା ନାହିଁ । ପାକିସ୍ତାନର ଏଭଳି କୌଶଳ ଏବଂ ଲୋକଙ୍କୁ ବିଭ୍ରାନ୍ତ କରିବାର ପ୍ରୟାସ କିଛି ନୂଆ କଥା ନୁହେଁ, ଏହା ପୁରୁଣା ନାଟକ ଅଟେ ଯାହାକୁ ଭାରତ ପୂର୍ବରୁ ଦେଖି ସାରିଛି । ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଏକ ରାଷ୍ଟ୍ରର ଏଭଳି ମିଥ୍ୟା ଘୋଷଣା କେତେ ଫଳପ୍ରଦ ହେବ ତାହା ଆମ ସମସ୍ତଙ୍କୁ ଜଣା। ଏଭଳି ଘୋଷଣା କରିବା ପରିବର୍ତ୍ତେ ପାକିସ୍ତାନ ଠୋସ୍ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଭାରତ ଜବାବ ରଖିଛି ।
ଉଲ୍ଲେଖ ଯୋଗ୍ୟ, ପାକିସ୍ତାନର ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି ୨୦୨୬ ମସିହାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ତାଲିକାରେ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହର ନାମ ସାମିଲ କରିଛି। ୨୦୨୧ ମସିହାରେ ଏଫ୍ଆଇଏର 'ରେଡ୍ ବୁକ୍' ରେ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ୨୦୨୬ ତାଲିକାରେ ମଧ୍ୟ ଏହାକୁ ବଜାୟ ରଖାଯାଇଛି । ଅଜହରକୁ ଧରାଇଦେବା ପାଇଁ ମିଳିବାକୁ ଥିବା ପୁରସ୍କାର ରାଶିକୁ ୨୦ ଲକ୍ଷରୁ ବୃଦ୍ଧି କରି ୭୦ ଲକ୍ଷ ଟଙ୍କା ପାକିସ୍ତାନ ଧାର୍ଯ୍ୟ କରିଛି ।
୨୦୦୧ ସଂସଦ ଆକ୍ରମଣ, ୨୦୧୬ ପଠାନକୋଟ୍ ବାୟୁସେନା ଘାଟି ଆକ୍ରମଣ ଏବଂ ୨୦୧୯ ପୁଲୱାମା ବିସ୍ଫୋରଣ ପାଇଁ ଭାରତ ଜୈଶ-ଏ-ମହମ୍ମଦ କୁ ଦାୟୀ କରିଛି।