ନୂଆଦିଲ୍ଲୀ: ଜନ୍ତରମନ୍ତର ଛାତ୍ର ଆନ୍ଦୋଳନବେଳେ ମାରପିଟ କରିବା ଅଭିଯୋଗରେ ଗିରଫ ହୋଇଥିବା ଇନଫ୍ଲ୍ୟୁଏନ୍ସର୍ ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ପଟିଆଲା ହାଉସ୍ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ କିଛି ସର୍ତ୍ତବଳୀ ରଖି ୩ ସପ୍ତାହ ପାଇଁ ଜାମିନ ମଞ୍ଜୁର କରିଦେଇଛନ୍ତି ।
ଅତିରିକ୍ତ ସେସନ୍ସ ଜଜ୍ ସୌରଭ ପ୍ରତାପ ସିଂହ ଲାଲରଙ୍କ କୋର୍ଟ ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ତାଙ୍କର ନିୟମିତ ଜାମିନ ଆବେଦନ ଉପରେ ତିନି ସପ୍ତାହର ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ତାଙ୍କର ଆଚରଣ ଉପରେ ତର୍ଜମା କରିବେ । ସ୍ୱତନ୍ତ୍ର ଭରଦ୍ୱାଜ ସୋସିଆଲ ମିଡିଆରେ ମାମଲା ବିଷୟରେ କିଛି ପୋଷ୍ଟ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ଏହା ସହିତ କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ମାମଲାର ଦିଲ୍ଲୀ ପୋଲିସର ତଦନ୍ତ ତ୍ରୁଟିପୂର୍ଣ୍ଣ ଥିଲା।
ଉଲ୍ଲେଖ ଯୋଗ୍ୟ, ଜନ୍ତରମନ୍ତରରେ ସିଜେପିର ଛାତ୍ର ଆନ୍ଦୋଳନବେଳେ ସ୍ୱତନ୍ତ୍ର ଭରଦ୍ୱାଜ ଜଣେ ପଛୁଆ ବର୍ଗର ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ । ସେହି ସମୟରେ ସ୍ୱତନ୍ତ୍ର ଭରଦ୍ୱାଜ ଜଣେ ନାବାଳିକା ଛାତ୍ରୀ ଆନ୍ଦୋଳନକାରୀଙ୍କ ପିତା (ସଞ୍ଜୟ ଆଜାଦ)ଙ୍କୁ ନିଜ ହାତର 'କଡ଼ା' ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ସେ ନିଜେ ମଧ୍ୟ ଏକ ସାକ୍ଷାତକାରରେ ଏହାକୁ ସ୍ୱୀକାର କରିଥିଲେ । ଏହା ପରେ ସିଜେପି ଏବଂ ଅନ୍ୟ କିଛି ବିରୋଧୀ ନେତା ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।