ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତୀୟ ଗସ୍ତରେ ଆସୁଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିକିଆ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ପକ୍ଷରୁ ୧୫ ଜଣିଆ ଟିମ୍ ଇଣ୍ଡିଆର ଘୋଷଣା କରାଯାଇଛି। ଏହି ସିରିଜ୍ ପାଇଁ ଭାରତର ପ୍ରାୟ ୯ ଜଣ ବରିଷ୍ଠ ତାରକା ଖେଳାଳି ଅନୁପସ୍ଥିତ ରହିଥିବାବେଳେ କିଛି ନୂଆ ଏବଂ ଆଶ୍ଚର୍ଯ୍ୟଜନକ ଚେହେରାଙ୍କୁ ଦଳରେ ସୁଯୋଗ ମିଳିଛି। ବିସିସିଆଇ ପ୍ରଥମ ଥର ପାଇଁ ଯୁବ ଖେଳାଳି ନମନ ଧୀର ଏବଂ ଆକିବ ନବୀ ଡାରଙ୍କୁ ଦିନିକିଆ ସ୍କ୍ବାଡ୍ରେ ସାମିଲ କରିଛି।
ଦଳର ଅଧିନାୟକ ଦାୟିତ୍ୱ ଶୁଭମନ ଗିଲଙ୍କ ହାତରେ ରହିଥିବାବେଳେ, ଅଭିଜ୍ଞ କେ.ଏଲ୍ ରାହୁଲଙ୍କୁ ଟିମ୍ ଇଣ୍ଡିଆର ଉପ-ଅଧିନାୟକ କରାଯାଇଛି। ସୂଚନାଯୋଗ୍ୟ ଯେ, ଶ୍ରେୟସ ଆୟର ୨୦୨୬ ଏସୀୟ କ୍ରୀଡ଼ାରେ ବ୍ୟସ୍ତ ରହିବା ଏବଂ ସେଠାରେ ଭାରତୀୟ ଦଳର ନେତୃତ୍ୱ ନେଉଥିବାରୁ ସେ ଏହି ସିରିଜ୍ ପାଇଁ ଉପଲବ୍ଧ ନାହାନ୍ତି।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ସିରିଜ୍ରେ ଦ୍ରୁତ ବୋଲିଂ ବିଭାଗକୁ ଅଧିକ ମଜଭୁତ କରାଯାଇଛି। ଦଳରେ ଚାରିଜଣ ମଜଭୁତ ଦ୍ରୁତ ବୋଲର ଯଥା- ପ୍ରସିଦ୍ଧ କ୍ରିଷ୍ଣା, ଗୁରୁନୂର ବ୍ରାର, ମହମ୍ମଦ ସିରାଜ ଏବଂ ଆକିବ ନବୀ ଡାରଙ୍କୁ ସ୍ଥାନ ମିଳିଛି। ସେହିପରି ସ୍ପିନ୍ ବିଭାଗର ଦାୟିତ୍ୱ ଅଭିଜ୍ଞ କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜା ସାମିଲ କରାଯାଇଛି।
ଆସନ୍ତା ସେପ୍ଟେମ୍ବର ୨୭ରୁ ଏହି ଦିନିକିଆ ସିରିଜ୍ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ୨୭ ସେପ୍ଟେମ୍ବରରେ ତିରୁଅନନ୍ତପୁରମ, ଦ୍ୱିତୀୟ ମ୍ୟାଚ୍ ୩୦ ସେପ୍ଟେମ୍ବରରେ ଗୌହାଟୀ ଏବଂ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଅକ୍ଟୋବର ୩ ତାରିଖରେ ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାଂପୁର ସଟାଡିୟମରେ ଖେଳାଯିବ। ଏହାପରେ ଦଳ ୫ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିବ।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ODI ସିରିଜ୍ ପାଇଁ ଭାରତୀୟ ଟିମ୍
ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟକିପର), ଋତୁରାଜ ଗାଏକ୍ୱାଡ଼, ଧ୍ରୁବ ଜୁରେଲ (ରିଜର୍ଭ ୱିକେଟକିପର), ନୀତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ଗୁରୁନୂର ବ୍ରାର, ମହମ୍ମଦ ସିରାଜ, ଆକିବ ନବୀ ଡାର, ଯଶସ୍ୱୀ ଜୈସ୍ୱାଲ ଏବଂ ନମନ ଧୀର।