ଶ୍ରୀନଗର: ଜମ୍ମୁ କାଶ୍ମୀର ଉଧମପୁର ଜିଲ୍ଲାର ମାଜାଲତା ତହସିଲ ଅନ୍ତର୍ଗତ ବ୍ରାତ୍ତଲ-ଖୁବାନ୍ ଜଙ୍ଗଲରେ 'ଅପରେସନ୍ ସୋହାନ' ସମୟରେ ଭାରତୀୟ ସେନା ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି । ସେହି ଅଞ୍ଚଳରେ ଆହୁରି ଜଣେ ଆତଙ୍କବାଦୀ ଲୁଚି ଥିବା ଅନୁମାନ କରାଯାଉଛି । ମୃତ ଆତଙ୍କବାଦୀ ଦ୍ୱୟ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ଦୁଇ ଜଣ ସକ୍ରିୟ ସଦସ୍ୟ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ଏକ ଏମ୍-୪ କାର୍ବାଇନ୍ ରାଇଫଲ୍ ସମେତ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ମଧ୍ୟ ଜବତ କରାଯାଇଛି। ନିହତ ଆତଙ୍କବାଦୀମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଗତ ରାତିରେ ଆରମ୍ଭ ହୋଇଥିବା ଏହି ଅପରେସନରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁକୁ ନେଇ ସେନାର 'ହ୍ୱାଇଟ୍ ନାଇଟ୍ କର୍ପସ୍' ପକ୍ଷରୁ ଗୁରୁବାର ଦିନ ଏକ ସରକାରୀ ବିବୃତି ଜାରି ହୋଇଛି ।
ସେନାର ସୂଚନା ଅନୁସାରେ ସେପ୍ଟେମ୍ବର ୧୬ ଓ ୧୭ ତାରିଖ ମଧ୍ୟବର୍ତ୍ତୀ ରାତିରେ ଉଧମପୁର ଜିଲ୍ଲାର ମାଜାଲତା ତହସିଲ ଅନ୍ତର୍ଗତ ବ୍ରାତ୍ତଲ-ଖୁବାନ୍ ଜଙ୍ଗଲରେ କିଛି ସନ୍ଦିଗ୍ଧଙ୍କ ଗତିବିଧି ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ 'ଅପରେସନ୍ ସୋହାନ' ଆରମ୍ଭ କରାଯାଇଥିଲା। ପ୍ରତିକୂଳ ପାଣିପାଗ, ଦୁର୍ଗମ ଅଞ୍ଚଳ ଏବଂ କମ୍ ଦୃଶ୍ୟମାନତା ସତ୍ତ୍ୱେ ସ୍ଥାନୀୟ ପୋଲିସ, ସେନା ଏବଂ କେନ୍ଦ୍ରୀୟ ସୁରକ୍ଷା ବଳର ମିଳିତ ତଲାସୀ ଅଭିଯାନ କରିଥିଲେ । ଦୁଇ ଜଣ ଆତଙ୍କବାଦୀକୁ ସୁରକ୍ଷାବାହିନୀ ଘେରି ଯାଇଥିଲେ । କିଛି ସମୟ ପାଇଁ ଉଭୟ ପକ୍ଷରୁ ଗୁଳି ମାଡ଼ ହୋଇଥିଲା । ପରବର୍ତ୍ତୀ ସମୟରେ ଦୁଇ ଜଣ ସେନା ଗୁଳିରେ ଟଳିଥିଲେ । ଅନ୍ୟ ଜଣେ ଘଟଣା ସ୍ଥଳରୁ ଖସି ପଳାଇଯାଇଥିବା ଅନୁମାନ କରାଯାଉଛି । ସେଥିପାଇଁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଇ ତଲାସୀ ଅଭିଯାନ ଜାରି ରହିଛି ।
ଅନ୍ୟପକ୍ଷରେ, ସୂତ୍ରରୁ ଜଣାପଡ଼ିଛି ଯେ ସେହି ଅଞ୍ଚଳରେ ପ୍ରାୟ ୭ରୁ ୮ ଜଣ ଆତଙ୍କବାଦୀଙ୍କ ଏକ ବଡ଼ ଗୋଷ୍ଠୀ ଥିବା ନେଇ ଖବର ମିଳିବା ପରେ ଗତ କିଛି ଦିନ ଧରି ସେନା, ଏସଓଜି ଏବଂ ସିଆରପିଏଫ୍ ନିରନ୍ତର ଅଭିଯାନ ଚଳାଇଥିଲା । ବୁଧବାର ରାତିରେ ଖୁବାନ୍ (Khuban) ଅଞ୍ଚଳରେ ସୁରକ୍ଷା ବଳର ଘେରାବନ୍ଦୀ ସମୟରେ ତିନିଜଣ ଆତଙ୍କବାଦୀ ଫସି ଯାଇଥିଲେ। ଭୀଷଣ ଗୁଳିବିନିମୟ ସମୟରେ ସୁରକ୍ଷା ବଳ ରକେଟ୍ ଲଞ୍ଚର ମଧ୍ୟ ବ୍ୟବହାର କରିଥିଲେ। ଆଶଙ୍କା କରାଯାଉଛି ଯେ ସେହି ରାତିରେ ହିଁ ଦୁଇରୁ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ।
ଏହି ସମୟରେ, ଉଧମପୁର ପୂର୍ବ ବିଧାନସଭା କ୍ଷେତ୍ରର ବିଧାୟକ ଆର.ଏସ୍. ପାଠାନିଆ ସେନା, ପୋଲିସ, ଅର୍ଦ୍ଧ-ସାମରିକ ବଳ, ଗୁଇନ୍ଦା ସଂସ୍ଥା ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ଅଭିଯାନକୁ ସୁରକ୍ଷା ବଳ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି । ଏଥିରେ ସ୍ଥାନୀୟ ଲୋକଙ୍କ ଭୂମିକା ପ୍ରଶଂସା କରିଛନ୍ତି ।