ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ଧରାପଡ଼ିଛି ଅନ୍ତଃରାଜ୍ୟ କଇଁଛ ଚୋରାଚାଲାଣ ରାକେଟ୍। ମୋଟୁ ପୋଲିସ ଓ ବନ ବିଭାଗର ମିଳିତ ଚଢ଼ାଉରେ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର ହୋଇଥିବା ବେଳେ ଚୋରାଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ମୋଟୁ ନିକଟସ୍ଥ ଅନ୍ତଃରାଜ୍ୟ ସୀମାରେ ନିୟମିତ ପାଟ୍ରୋଲିଂ ସମୟରେ ପୋଲିସ ଓ ବନ ବିଭାଗ ଟିମ୍କୁ ସନ୍ଦେହଜନକ ଭାବେ କଇଁଛ ନିଆଯାଉଥିବା ନେଇ ସୂଚନା ମିଳିଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଭିତରକୁ ବେଆଇନ ଭାବେ କଇଁଛ ଚୋରାଚାଲାଣ କରାଯାଉଥିଲା।
ଅଭିଯାନ ବେଳେ ୫୫ଟି ଜୀବନ୍ତ କଇଁଛକୁ ଉଦ୍ଧାର କରାଯିବା ସହ ଚୋରାଚାଲାଣରେ ବ୍ୟବହୃତ ୨ଟି ବାଇକ୍ ଓ ୪ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଏମ୍ଭି-୧୧୪ ଗାଁର ପ୍ରଭାସ ଯୋଡ଼ାହାର ଓ ନନ୍ଦ ମଣ୍ଡଳ ଏବଂ ଏମ୍ପିଭି-୪୭ ଗାଁର ଲୋକିପଦ ମାଳି ଓ ରାମ ନାରାୟଣ ମଣ୍ଡଳ। ପୋଲିସ ଉଦ୍ଧାର କଇଁଛ ସହ ଜବତ ସାମଗ୍ରୀକୁ ବନ ବିଭାଗ ହାତରେ ହସ୍ତାନ୍ତର କରିଛି।
ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ଜେଲ୍ ପଠାଯାଇଛି। ଘଟଣାରେ ଆଉ କେହି ସାମିଲ ଅଛନ୍ତି କି ନାହିଁ ଏବଂ କଇଁଛ ଚୋରାଚାଲାଣର ନେଟୱର୍କ କେତେ ଦୂର ବ୍ୟାପିଛି, ସେନେଇ ତଦନ୍ତ ଜାରି ରହିଛି।