ନବରଙ୍ଗପୁର: ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିଲେନି। ପାଣିରେ ବୁଡ଼ି ଜୀବନ ହାରିଲେ ୧୯ ବର୍ଷୀୟ ଯୁବକ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଗିର୍ଲା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା।
ମୃତ ଯୁବକ ହେଲେ ଗିର୍ଲା ଗାଁର ରାମଚନ୍ଦ୍ର ଭତ୍ରା (୧୯)। ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୮ଟା ସମୟରେ ରାମଚନ୍ଦ୍ର ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ପୋଖରୀରେ ଥିବା ସମୟରେ ଅସାବଧାନତାବଶତଃ ଗଭୀର ପାଣିକୁ ଖସିଯାଇଥିଲେ। ପହଁରି ନପାରିବାରୁ ପାଣିରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି।
ଦୀର୍ଘ ସମୟ ଧରି ରାମଚନ୍ଦ୍ର ଘରକୁ ନ ଫେରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ଶେଷରେ ପୋଖରୀ ପାଣିରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏନେଇ ତୁରନ୍ତ ଡାବୁଗାଁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।
ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ରାମଚନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ମୃତଦେହକୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା।
ରାମଚନ୍ଦ୍ରଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଡାବୁଗାଁ ପୋଲିସ UD କେସ୍ ନମ୍ବର ୩୧/୨୦୨୬ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଷ୍ଟମର୍ଟମ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଯୁବକଙ୍କ ଅକାଳ ମୃତ୍ୟୁରେ ଗିର୍ଲା ଗାଁରେ ଶୋକର ଛାୟା ଖେଳିଯାଇଛି।