ଭୁବନେଶ୍ୱର: ନିସର (NISER)ରେ ଅଘଟଣ। ଭଗୀରଥୀ ହଷ୍ଟେଲ ଛାତରୁ ପଡ଼ି ଜଣେ ତୃତୀୟ ବର୍ଷର ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ ବିନୟ ସନ୍ୟାସୀ ଭେଙ୍କଟ। ସେ ନିସରର ତୃତୀୟ ବର୍ଷ ଇଣ୍ଟିଗ୍ରେଟେଡ୍ MSc ଛାତ୍ର ଥିବା ବେଳେ ତାଙ୍କ ଘର ମହାରାଷ୍ଟ୍ରର ନାଗପୁର ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭଗୀରଥୀ ହଷ୍ଟେଲ ଛାତ ଉପରେ ଥିବା ବେଳେ ବିନୟ ଖସିପଡ଼ିଥିବା ଜଣାପଡ଼ିଛି। ତଳେ ପଡ଼ିବା ପରେ ସେ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ AIIMS ଭୁବନେଶ୍ୱର ନିଆଯାଇଥିଲା।
AIIMSରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସକମାନେ ଚିକିତ୍ସା ଜାରି ରଖିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ବିନୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ଛାତ୍ର ଜଣକ କେଉଁ ପରିସ୍ଥିତିରେ ହଷ୍ଟେଲ ଛାତରୁ ଖସିପଡ଼ିଲେ, ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।
ଘଟଣାଟି ଦୁର୍ଘଟଣା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଘଟଣାକୁ ନେଇ ନିସର ପରିସରରେ ଶୋକର ଛାୟା ଖେଳିଯାଇଛି। ଘଟଣା ସମ୍ପର୍କିତ ଅଧିକ ତଥ୍ୟ ପୋଲିସ ତଦନ୍ତ ପରେ ସାମ୍ନାକୁ ଆସିପାରେ।