ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଦିଲ୍ଲୀର ପ୍ରଦୂଷଣ ରୋକିବାକୁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଛନ୍ତି । ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ରାଜ୍ୟ ନଡ଼ା ଜାଳିବା ଉପରେ ସରକାର ଜରିମାନା ଲଗାଇବାକୁ ଯାଉଛନ୍ତି । ଯଦ୍ୱାରା ପ୍ରଦୂଷଣ ସମସ୍ୟା ନିୟନ୍ତ୍ରଣକୁ ଆସିପାରିବ, ସରକାର ଆଶା ରଖିଛନ୍ତି ।
ପରିବେଶ ମନ୍ତ୍ରଣାୟ ନଡ଼ା ପୋଡ଼ିବା ସମ୍ବନ୍ଧୀୟ ନିୟମର ଏକ ଖସଡ଼ା ପ୍ରସ୍ତୁତ କରିଛନ୍ତି । ନଡ଼ା ପୋଡ଼ା ଯାଉଥିବା ସ୍ଥାନଗୁଡ଼ିକୁ ଆସନ୍ତା ୧୫ ମାସ ପର୍ଯ୍ୟନ୍ତ 'ରେଡ୍ କ୍ୟାଟେଗୋରି'ରେ ରଖାଯିବ । ତଥାପି ଏହି ବର୍ଗରେ ସାମିଲ ହେବାର ନିର୍ଦ୍ଦିଷ୍ଟ ପରିଣାମ କ’ଣ ହେବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯଦି ସମାନ ଜମିରେ ପୁନର୍ବାର ନଡ଼ା ପୋଡ଼ାଯାଏ କିମ୍ବା ଯଦି ଏହି ନିୟମ ଅଧୀନରେ ଧାର୍ଯ୍ୟ ପରିବେଶ ଜରିମାନା ନିର୍ଦ୍ଧାରିତ ସମୟ ମଧ୍ୟରେ ଜମା କରା ନ ଯାଏ, ତେବେ 'ରେଡ୍ କାଟାଗୋରି'ରେ ସାମିଲ କରାଯିବ ।
ଏହି ନିୟମଗୁଡ଼ିକରେ ୨୦୨୩ ମସିହାରେ ନିର୍ଦ୍ଧାରିତ ହୋଇଥିବା ଫସଲ ଅବଶେଷ ପୋଡ଼ିବା ସମ୍ବନ୍ଧୀୟ ପରିବେଶଗତ ଜରିମାନା ହାରକୁ ବଜାୟ ରଖାଯାଇଛି। ଫସଲ ଅବଶେଷ ପୋଡ଼ୁଥିବା ବେଳେ ଦୋଷୀ ସାବ୍ୟସ୍ତ ହେଉଥିବା ଚାଷୀଙ୍କୁ ସେମାନଙ୍କ ଜମିର ଆକାର ଆଧାରରେ ଜରିମାନା କରାଯିବ । ଦୁଇ ୨ ଏକରରୁ କମ୍ ଜମି ପାଇଁ ୫,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ୨ ରୁ ୫ ଏକର ମଧ୍ୟରେ ଥିବା ଜମି ପାଇଁ ୧୦,୦୦୦ ଟଙ୍କା ଓ ୫ ଏକରରୁ ଅଧିକ ଜମି ପାଇଁ ୩୦,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଆଦାୟ ହୋଇଥିବା ଏହି ଅର୍ଥକୁ ଫସଲ ବିବିଧକରଣ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା, ବାୟୋମାସ୍ (ଜୈବ-ପଦାର୍ଥ) ଉପଯୋଗ ଓ ସଂରକ୍ଷଣ ଭିତ୍ତିଭୂମିର ବିକାଶ ଓ ପରିଚାଳନାରେ ସହାୟତା କରିବା ଏବଂ ଫସଲ ଅବଶେଷ ପରିଚାଳନା କ୍ଷେତ୍ରରେ ଗବେଷଣା ଓ ବିକାଶ କାର୍ଯ୍ୟ ପାଇଁ ବ୍ୟବହାର କରାଯିବ ।