ନୂଆଦିଲ୍ଲୀ:ପ୍ରସିଦ୍ଧ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ପକ୍ଷରୁ ଅନିଲ ଅମ୍ବାନୀଙ୍କ କମ୍ପାନି 'ରିଲାଏନ୍ସ କ୍ୟାପିଟାଲ୍' ବିରୋଧରେ ଏକ ବଡ଼ଧରଣର ଆର୍ଥିକ ଠକେଇ ମାମଲା ରୁଜୁ କରାଯାଇଛି। ଭାରତୀୟ ଜୀବନ ବୀମା ନିଗମ (LIC) ସହ ଜଡିତ ପ୍ରାୟ ୨,୬୮୪ କୋଟି ଟଙ୍କାର ଏହି କେଳାକାରୀ ମାମଲାରେ ସିବିଆଇ ଏବେ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ରିଲାଏନ୍ସ କ୍ୟାପିଟାଲ୍ ଏବଂ ଏହାର ଅଧୀନରେ ଥିବା କମ୍ପାନିଗୁଡ଼ିକ ଦ୍ୱାରା ଆର୍ଥିକ ଅନିୟମିତତା ଏବଂ ବ୍ୟାଙ୍କ୍ଗୁଡ଼ିକର ପାଣ୍ଠି ହେରଫେର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି କ୍ରମରେ LIC ର ପାଣ୍ଠିକୁ ନେଇ ହୋଇଥିବା ପ୍ରାୟ ୨,୬୮୪ କୋଟି ଟଙ୍କାର ଏହି ଠକେଇ ମାମଲା ସାମ୍ନାକୁ ଆସିବା ପରେ ସିବିଆଇ କଠୋର ପଦକ୍ଷେପ ଗ୍ରହଣ କରିଛି। କମ୍ପାନିର ଅଧିକାରୀ ଏବଂ ସମ୍ପୃକ୍ତ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠି ଜୋରଦାର କରାଯାଇଛି।
ଆଗକୁ ବଢ଼ିପାରେ ଅଡୁଆ
ଆର୍ଥିକ ଅନିୟମିତତା ଏବଂ ଋଣ ପରିଶୋଧ ନ କରିବା ମାମଲାରେ ଆଗକୁ ଅନିଲ ଅମ୍ବାନୀଙ୍କ ସମସ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ଏଜେନ୍ସି ପକ୍ଷରୁ ଏହି ମାମଲାରେ ଆଗକୁ କମ୍ପାନିର ବିଭିନ୍ନ ଠିକଣାରେ ଚଢ଼ଉ ଏବଂ ପଚରାଉଚରା କରାଯାଇପାରେ ବୋଲି ସୂଚନା ମିଳିଛି।