ନିର୍ବାଚନ ଆୟୋଗଙ୍କଠାରୁ ମମତା ବାନାର୍ଜୀ ଗୋଷ୍ଠୀକୁ 'ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ' ନାମ ଏବଂ 'ଫୁଟବଲ୍ ଖେଳାଳି' ଚିହ୍ନ ମିଳିଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀକୁ 'ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ' ଏବଂ 'ଲଫାପା (ଖାମ୍)' ଚିହ୍ନ ମିଳିଛି।
ପଶ୍ଚିମବଙ୍ଗ ରାଜନୀତିରେ ବିଧାନସଭା ନିର୍ବାଚନ ଫଳାଫଳ ପରଠାରୁ କ୍ରମାଗତ ଭାବେ ହଲଚଲ୍ ଦେଖିବାକୁ ମିଳୁଛି। ଟିଏମସିରେ ଫାଟ, ନେତାଙ୍କ ଦଳବଦଳ ଏବଂ ଟିଏମସିର ନାମ ଓ ନିର୍ବାଚନ ଚିହ୍ନକୁ ନେଇ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ଏହି ସମୟରେ ନିର୍ବାଚନ ଆୟୋଗ ଦୁଇ ଗୋଷ୍ଠୀକୁ ନୂଆ ନାମ ଏବଂ ନୂଆ ନିର୍ବାଚନ ଚିହ୍ନ ପ୍ରଦାନ କରିଛନ୍ତି। ଏହା ସହିତ ପୁରୁଣା ଟିଏମସିର ନାମ ଏବଂ ନିର୍ବାଚନ ଚିହ୍ନକୁ ଫ୍ରିଜ୍ କରିଦିଆଯାଇଛି।
ନିର୍ବାଚନ ଆୟୋଗ ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ 'ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ' ନାମ ଏବଂ 'ଫୁଟବଲ୍ ଖେଳାଳି' ଚିହ୍ନ ଦେଇଛନ୍ତି। ଅନ୍ୟପଟେ, ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀକୁ 'ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ' ନାମ ଏବଂ 'ଲଫାପା' ଚିହ୍ନ ଆବଣ୍ଟନ କରାଯାଇଛି। ଏହି ସମୟରେ ମମତା ବାନାର୍ଜୀଙ୍କ ଦଳର ନିର୍ବାଚନ ଚିହ୍ନ ମଧ୍ୟ ସାମ୍ନାକୁ ଆସିଛି।
କେମିତି ଅଛି ନୂଆ ନିର୍ବାଚନ ଚିହ୍ନ?
ମମତା ବାନାର୍ଜୀଙ୍କ ଦଳର ନିର୍ବାଚନ ଚିହ୍ନ ସାମ୍ନାକୁ ଆସିଛି। ଏଥିରେ ଜଣେ ଫୁଟବଲ୍ ଖେଳାଳି ରହିଛନ୍ତି, ଯିଏ ଫୁଟବଲକୁ କିକ୍ ମାରୁଥିବାର ଦୃଶ୍ୟମାନ ହେଉଛନ୍ତି। ଏହାସହ ତାଙ୍କ ପୃଷ୍ଠଭୂମି (ବ୍ୟାକଗ୍ରାଉଣ୍ଡ)ରେ ତ୍ରିରଙ୍ଗା ଶୋଭା ପାଉଛି ଏବଂ ଉପରେ ଦଳର ନାମ 'ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ' ଲେଖାଯାଇଛି।
ମମତା ବାନାର୍ଜୀଙ୍କ ଫୁଟବଲ ପ୍ରତି ଭଲପାଇବା
ଏହି ନିର୍ବାଚନ ଚିହ୍ନ ବଙ୍ଗଳାର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀର୍ଘ ଦିନରୁ ଏହି ଖେଳ ସହ ଜଡ଼ିତ ଥିବାରୁ ବିଶେଷ ଭାବେ ମେଳ ଖାଉଛି। ମାର୍ଚ୍ଚ ୨୦୨୫ରେ, ଆର୍ଜେଣ୍ଟିନାର ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ଜର୍ସି ପାଇବା ପରେ ମମତା ଲେଖିଥିଲେ ଯେ "ଫୁଟବଲ ଏପରି ଏକ ଆବେଗ ଯାହା ମୋ ରକ୍ତରେ ବହୁଛି।"
ତିନୋଟି ନାମ ଏବଂ ତିନୋଟି ସିମ୍ବଲର ପ୍ରସ୍ତାବ
ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କୁ ତିନୋଟି ନାମ ଏବଂ ତିନୋଟି ସିମ୍ବଲର ପ୍ରସ୍ତାବ ପଠାଇଥିଲେ। ମମତା ଗୋଷ୍ଠୀ ବିକଳ୍ପ ଭାବେ 'ତୃଣମୂଳ ମମତା କଂଗ୍ରେସ' କିମ୍ବା 'ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ମମତା' ପରି ନାମ ଦେଇଥିଲେ। ସିମ୍ବଲ ବିକଳ୍ପ ମଧ୍ୟରେ ଫୁଟବଲ, ପ୍ରାର୍ଥନା ଏବଂ କ୍ରିକେଟ ବ୍ୟାଟ୍ ସାମିଲ ଥିଲା। କ୍ରିକେଟ ବ୍ୟାଟ୍ ସହିତ 'ଖେଲା ହୋବେ' ସ୍ଲୋଗାନ ପଠାଯାଇଥିଲା। ମମତା ଶିବିର ନିର୍ବାଚନ ଆୟୋଗଙ୍କୁ ଇମେଲ ମାଧ୍ୟମରେ ନିଜ ପସନ୍ଦ ପଠାଇଥିଲେ। ଅନ୍ୟପଟେ ଟିଏମସିର ବିଦ୍ରୋହୀ ଗୋଷ୍ଠୀର ନେତା ଋତବ୍ରତ ବାନାର୍ଜୀ ମଧ୍ୟ ୩ଟି ନାମ ଏବଂ ୩ଟି ସିମ୍ବଲ ଇମେଲ ଯୋଗେ ପଠାଇଥିଲେ। ନିର୍ବାଚନ ଆୟୋଗ ଦୁଇ ଗୋଷ୍ଠୀଙ୍କୁ ୩-୩ଟି ନାମ ଏବଂ ୩-୩ଟି ମୁକ୍ତ ସିମ୍ବଲର ବିକଳ୍ପ ଦେବାକୁ କହିଥିଲେ। ଏହି ବ୍ୟବସ୍ଥା ଆଗାମୀ ଉପ-ନିର୍ବାଚନ ପାଇଁ ଅନ୍ତରୀଣ ଅଟେ। ମୂଳ ଦଳର ନାମ ଏବଂ ଘାସ-ଫୁଲ ଚିହ୍ନ ଥିବା ସଂରକ୍ଷିତ ସିମ୍ବଲ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପାରା ୧୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପରେ ହେବ।
ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କଲେ ମମତା
ଏଣେ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଦ୍ୱାରା ତୃଣମୂଳ କଂଗ୍ରେସ ଦଳର ନାମ ଏବଂ ସିମ୍ବଲ ସିଜ୍ (ଫ୍ରିଜ୍) କରିବା ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବାନାର୍ଜୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ନିଷ୍ପତ୍ତିର ସମାଲୋଚନା କରି ଦଳର ପରିଚୟ ହରାଇବାକୁ ଜଣେ ମା' ନିଜ ସନ୍ତାନକୁ ହରାଇବା ସହ ତୁଳନା କରିଛନ୍ତି ଏବଂ ଏହାକୁ ଦେଶର ଗଣତାନ୍ତ୍ରିକ ଇତିହାସରେ ଏକ 'କଳା ଦିବସ' ବୋଲି କହିଛନ୍ତି। ସେ କହିଛନ୍ତି ଯେ ସେ ଅନ୍ତରୀଣ ବ୍ୟବସ୍ଥାକୁ ବୁଝାମଣା ଭାବେ ଗ୍ରହଣ କରିବେ ନାହିଁ ଏବଂ ରାଜନୈତିକ, ଗଣତାନ୍ତ୍ରିକ ଓ ଆଇନଗତ ମାଧ୍ୟମରେ ଦଳର ମୂଳ ପରିଚୟ ଏବଂ ଏହାର ଘାସ-ଫୁଲ ପ୍ରତୀକକୁ ଫେରାଇ ଆଣିବା ପାଇଁ ନିଜର ସଂଗ୍ରାମ ଜାରି ରଖିବେ।
ଘାସ-ଫୁଲ ନିର୍ବାଚନ ଚିହ୍ନ ବ୍ୟବହାର ଉପରେ ରୋକ
ନିର୍ବାଚନ ଆୟୋଗ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସର ନାମ ଏବଂ ଏହାର ପାରମ୍ପରିକ ଘାସ-ଫୁଲ ନିର୍ବାଚନ ଚିହ୍ନ ବ୍ୟବହାର କରିବା ଉପରେ କଟକଣା ଲଗାଇଛନ୍ତି। ଟିଏମସିର ଦୁଇ ଗୋଷ୍ଠୀ ମଧ୍ୟରେ ଦଳ ଉପରେ ନିୟନ୍ତ୍ରଣକୁ ନେଇ ଚାଲିଥିବା ବିବାଦ ଭିତରେ ନିର୍ବାଚନ ଆୟୋଗ ଗୁରୁବାର ଦିନ ଆଗାମୀ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଦଳର ନାମ ଓ ଚିହ୍ନକୁ ଫ୍ରିଜ୍ କରିଦେଇଛନ୍ତି। ଏହାପରେ ନିର୍ବାଚନ ଆୟୋଗ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ଉପ-ନିର୍ବାଚନ ପାଇଁ 'ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ' ନାମ ଏବଂ 'ଫୁଟବଲ୍ ଖେଳାଳି' ଚିହ୍ନ ଆବଣ୍ଟନ କରିଥିବା ବେଳେ ଋତବ୍ରତ ବାନାର୍ଜୀଙ୍କ ସହ ଜଡ଼ିତ ଅରୂପ ରୟଙ୍କ ନେତୃତ୍ୱାଧୀନ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀକୁ 'ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ' ନାମ ଏବଂ 'ଲଫାପା' ଚିହ୍ନ ଦେଇଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଏହି ବ୍ୟବସ୍ଥା ପଶ୍ଚିମବଙ୍ଗ ସମେତ ଆଗାମୀ ଉପ-ନିର୍ବାଚନଗୁଡ଼ିକରେ ଲାଗୁ ହେବ। ଅନ୍ତରୀଣ ବ୍ୟବସ୍ଥା ଅଧୀନରେ କୌଣସି ବି ଗୋଷ୍ଠୀ ମୂଳ ଦଳର ନାମ ଏବଂ ସଂରକ୍ଷିତ ଚିହ୍ନ ବ୍ୟବହାର କରିପାରିବେ ନାହିଁ।