ମମ୍ବାଇ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେରେ ଜଣେ ବିଟେକ୍ ଦ୍ୱିତୀୟ ବର୍ଷର ଛାତ୍ର ଆତ୍ମହତ୍ୟାକୁ ନେଇ ପ୍ରବଳ ହଙ୍ଗାମା ହେଉଛି । ଛାତ୍ରମାନେ କଲେଜ୍ ପରିସରରେ ପ୍ରବଳ ବିରୋଧ ପ୍ରଦର୍ଶନ କରିଛନ୍ତି ।
ସୂଚନା ଅନୁସାରେ, ଜଣେ ବିଟେକ୍ ଛାତ୍ର ପରୀକ୍ଷାରେ କପି କରୁଥିବା ସମୟରେ ଧରାପଡ଼ିଯିବା ପରେ ଚରମ ନିଷ୍ପତି ନେଇଛନ୍ତି । ସେ ହଷ୍ଟେଲ ରୁମରେ ଯାଇ ଆତ୍ମହତ୍ୟା କରିଛନ୍ତି । ଏହାକୁ ମିଶାଇ ଆଇଆଇଟି ବମ୍ବେରେ କ୍ରମାଗତ ଭାବେ ୩ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ଖବର ରହିଛି । ଯାହା ପରେ କ୍ୟାମ୍ପସରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରମାନେ କହିଛନ୍ତି ଯେ ଛାତ୍ର ଜଣକ ପରୀକ୍ଷାରେ ଧରାପଡ଼ିବା ପରେ ତାଙ୍କୁ କାଉନସିଲିଂ କରାଯାଉଥିଲା । ଏହି ସମୟରେ ଛାତ୍ର ଉପରେ ଅତ୍ୟଧିକ ମାନସିକ ଚାପ ଦିଆଯାଇଥିଲା । ଯାହା ପରିଣାମ ସ୍ୱରୂପ ସେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ।
ଆଇଆଇଟି ବମ୍ବେ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ, ବିଟେକ୍ ଦ୍ୱିତୀୟ ବର୍ଷ ଛାତ୍ର ପରୀକ୍ଷା ଚାଲୁଥିବା ସମୟରେ ଚାଟ୍ ଜିପିଟି (ChatGPT)ର ବ୍ୟବହାର କରିଥିଲେ । ପ୍ରଶ୍ନ ପତ୍ରର ଫଟୋ ଉଠାଇ ଚାଟ୍ ଜିପିଟିରେ ଅପଲୋଡ୍ କରିବା ବେଳେ ତାଙ୍କୁ ପରୀକ୍ଷା ନିରୀକ୍ଷକ ଧରିଥିଲେ । କିନ୍ତୁ ଛାତ୍ର ଉପରେ ମାନସିକ ଦିଆଯିବା ଅଭିଯୋଗକୁ କଲେଜ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି । ଛାତ୍ରଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ବରଂ ଛାତ୍ରଙ୍କୁ ବିଭାଗୀୟ ମୁଖ୍ୟଙ୍କ ଚ୍ୟାମ୍ବରକୁ ଡାକି ଭବିଷ୍ୟତରେ ଏପରି ନ କରିବାକୁ ବୁଝାଯାଇଥିଲା । ଯାହା ଆଗାମୀ ଦିନରେ ତାଙ୍କର କ୍ୟାରିୟର୍ ଉପରେ ପ୍ରଭାବ ପକାଇବ । ଛାତ୍ରଙ୍କୁ ବହୁତ ଭଲ ମାନସିକ ସ୍ଥିତିରେ ତାଙ୍କ ରୁମକୁ ପଠାଇ ଦିଆଯାଇଥିଲା । ତାଙ୍କ ଉପରେ କୌଣସି ଅତିରିକ୍ତ ଚାପ ପକାଯାଇନଥିଲା ।