ନୂଆଦିଲ୍ଲୀ: ଆଜିଠାରୁ ଜାପାନର ଆଇଚି-ନାଗୋୟାଠାରେ ଏସିଆନ୍ ଗେମ୍ସ-୨୦୨୬ ଆରମ୍ଭ ହେବାକୁ ଯାଉଛି । ଉଦଘାଟନୀ ଉତ୍ସବର ମାତ୍ର କିଛି ସମୟ ପୂର୍ବରୁ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଧ୍ୱଜା ବାହାକ ତଜିନ୍ଦରପାଲ ସିଂହ ତୁରଙ୍କ ନାମ ବାଦ ପଡ଼ିଛି । ତାଙ୍କ ପରିବର୍ତ୍ତେ କବାଡ଼ି ଖେଳାଳି ପୱନ ସେହରାୱତଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି।
ପ୍ରାରମ୍ଭିକ ଯୋଜନା ଅନୁଯାୟୀ ଅଲିମ୍ପିକ୍ ବିଜେତା ମନୁ ଭାକର ଏବଂ ତଜିନ୍ଦରପାଲ ସିଂହ ତୁର ଭାରତୀୟ ଦଳର ନେତୃତ୍ୱ ନେବାର ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତେଜିନ୍ଦରପାଲଙ୍କ ନାମ ବାଦ୍ ଦିଆଯାଇଥିଲା। ତୁର ବର୍ତ୍ତମାନ ମଧ୍ୟ ସୁକୁବାସ୍ଥିତ ଭାରତର ଆଥଲେଟିକ୍ସ କେନ୍ଦ୍ରରେ ଅଛନ୍ତି ଏବଂ ଶନିବାର ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ସେ ସମୟ ମଧ୍ୟରେ ଜାପାନରେ ପହଞ୍ଚିପାରିବେ ନାହିଁ ବୋଲି ନିଶ୍ଚିତ ହୋଇଛି । ଦୁଇଥର ଏସୀୟ କ୍ରୀଡ଼ା ଚାମ୍ପିଅନ୍ ହୋଇଥିବା ତୁର କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ନିଜର ଅଫିସିଆଲ୍ କିଟ୍ (ଖେଳ ସାମଗ୍ରୀ ଓ ପୋଷାକ) ପାଇନାହାନ୍ତି, ଯେଉଁ କାରଣରୁ ସେ କ୍ରୀଡ଼ା ପାଇଁ ଯାତ୍ରା କରିପାରିନାହାନ୍ତି ।
ବର୍ତ୍ତମାନ ତଜନ୍ଦରଙ୍କ ସ୍ଥାନରେ ସେହରାୱତଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ପୂର୍ବ ଏସୀୟ କ୍ରୀଡ଼ାରେ ଦଳକୁ ସ୍ୱର୍ଣ୍ଣ ପଦକ ଜିତାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।
ଭାଗ ନେବେ ୪୯୯ ଭାରତୀୟ କ୍ରୀଡ଼ାବିତ
ଭାରତୀୟ ସମୟ ଅନୁସାରେ ଆଜି ଅପରାହ୍ନ ୨:୩୦ରେ ଉଦଘାଟନୀ ଉତ୍ସବ ଆରମ୍ଭ ହେବ ଏବଂ ଏହା ଦୁଇ ଘଣ୍ଟା ଧରି ଚାଲିବ । ଏହାକୁ ସୋନି ସ୍ପୋର୍ଟସ୍ ନେଟୱାର୍କରେ ପ୍ରସାରିତ ହେବ । ଭାରତରୁ ୩୫ଟି କ୍ରୀଡ଼ା ବିଭାଗରେ ପ୍ରାୟ ୪୯୯ ଖେଳାଳି ଅଂଶଗ୍ରହଣ କରିବେ । ଯେଉଁଥିରେ ୨୬୭ ଜଣ ପୁରୁଷ ଏବଂ ୨୩୨ ଜଣ ମହିଳା କ୍ରୀଡ଼ାବିତ ସାମିଲ ଅଛନ୍ତି । ଏହା ଅକ୍ଟୋବର ୪, ୨୦୨୬ ଯାଏ ଚାଲିବ ।