ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ବିସିସିଆଇ ସଚିବ ଦେବଜୀତ ସାଇକିଆ ଏହି ପ୍ରସଙ୍ଗରେ କୌଣସି ସ୍ପଷ୍ଟ ସୂଚନା ନ ଦେଇ କହିଛନ୍ତି ଯେ କ୍ରିକେଟ୍ ଦୁନିଆରେ ୧୫ ଦିନ ବହୁତ ଲମ୍ବା ସମୟ ଅଟେ।
ବିସିସିଆଇର ବାର୍ଷିକ ସାଧାରଣ ସଭା (AGM) ପରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସଚିବ ଦେବଜୀତ ସାଇକିଆ କହିଛନ୍ତି, "ଆମ ପାଖରେ ଏବେବି ୧୫ ଦିନ ସମୟ ରହିଛି। କ୍ରିକେଟ୍ ଜଗତରେ ୧୫ ଦିନ ଏକ ବହୁତ ଲମ୍ବା ସମୟ ହୋଇଥାଏ। ଆମେ ଠିକ୍ ସମୟରେ ଉଚିତ୍ ନିଷ୍ପତ୍ତି ନେବୁ ଏବଂ ଏ ବିଷୟରେ ସମସ୍ତଙ୍କୁ ଅବଗତ କରାଯିବ।
ସୂଚନାଯୋଗ୍ୟ ଯେ ଅଗରକରଙ୍କ ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତେବେ ତାଙ୍କୁ ଏକ ବର୍ଷର ଅତିରିକ୍ତ ସମ୍ପ୍ରସାରଣ ମିଳିବ କିମ୍ବା ବୋର୍ଡ ନୂତନ ଚୟନକର୍ତ୍ତାଙ୍କୁ ଦାୟିତ୍ୱ ଦେବ, ସେନେଇ ଏଯାଏଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଏହି ବୈଠକରେ ବୋର୍ଡର କର୍ମକର୍ତ୍ତାମାନଙ୍କୁ ସିନିୟର ଚୟନ ସମିତିର ଭବିଷ୍ୟତ ନେଇ ନିଷ୍ପତ୍ତି ନେବା ପାଇଁ କ୍ଷମତା ପ୍ରଦାନ କରାଯାଇଛି।
ଆଗାମୀ ଦିନରେ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସିରିଜ୍ ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ମ୍ୟାଚ୍ ଗୁଡ଼ିକୁ ଦୃଷ୍ଟିରେ ରଖି ଚୟନ କମିଟିକୁ ନେଇ ବୋର୍ଡ କୌଣସି ବଡ଼ ପଦକ୍ଷେପ ନେଇପାରେ ବୋଲି କ୍ରିକେଟ୍ ବିଶ୍ଳେଷକମାନେ ମତ ପ୍ରକାଶ କରିଛନ୍ତି।