କୋଲକାତା: ନନ୍ଦିଗ୍ରାମ ପରେ ରେଜୀନଗରରେ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା ଲାଗିଛି । ରେଜୀନଗର ଉପନିର୍ବାଚନରୁ କଂଗ୍ରେସ ଆଶାୟୀ ପ୍ରାର୍ଥୀ ରବିଉଲ୍ ଆଲମ ଚୌଧୁରୀ ଓହରିଯାଇଛନ୍ତି । ଏ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଥିବାବେଳେ ଦଳ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।
ନନ୍ଦିଗ୍ରାମରେ ମମତାଙ୍କ ଆଶାୟୀ ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ଗତକାଲି ନିଜର ନାମାଙ୍କନ ପ୍ରତ୍ୟାହାର କରିନେଇଥଲେ । ଏହା ପରେ ମମତା କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ । ସମର୍ଥନ ଘୋଷଣା ମାତ୍ର କିଛି ଘଣ୍ଟା ପରେ ମିଲନ ପ୍ରଧାନଙ୍କୁ ପୋଲିସ ୨୦୦୭ ମସିହା ନନ୍ଦିଗ୍ରାମ ଆନ୍ଦୋଳନ ମାମଲା ସହିତ ଜଡ଼ିତ ମାମଲାରେ ଗିରଫ କରିଥିଲା ।
ଡେମୋକ୍ରାଟିକ ତୃଣମୂଳ କଂଗ୍ରେସ ଦଳର ନେତା ଋତବ୍ରତ ବାନାର୍ଜୀ କହିଥିଲେ ଯେ ତାଙ୍କ ଦ୍ୱାରା ଦାୟର ହୋଇଥିବା ଏକ ମାମଲା ଆଧାରରେ ପୋଲିସ ତାଙ୍କୁ ଗିରଫ କରିଛି ।
ଉଲ୍ଲେଖ ଯୋଗ୍ୟ, ଗତକାଲି ମମତା ବାନାର୍ଜୀଙ୍କ ଦଳର ନାମ ଏବଂ ଚିହ୍ନ ଉଭୟ ବଦଳି ଯାଇଛି । ମମତାଙ୍କ ଦଳର ନାମ ବଦଳି ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ନାମରେ ନାମିତ କରାଯାଇଛି । ଦଳକୁ ନୂତନ ଚିହ୍ନ ମଧ୍ୟ ମିଳିଛି । ମମତାଙ୍କ ଦଳର ଚିହ୍ନ ବଦଳି ଫୁଟବଲ ଖେଳାଳି ହୋଇଛି ।