ବଙ୍ଗୋପସାଗରରେ ୨୦୨୬ର ପ୍ରଥମ ବାତ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ନେଇ ପାଣିପାଗ ମହଳରେ ଚର୍ଚ୍ଚା ଜୋର ଧରିଛି। ଉତ୍ତର ଥାଇଲାଣ୍ଡ ଓ ସଂଲଗ୍ନ ମିଆଁମାର ଅଞ୍ଚଳର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଘରୋଇ ପାଣିପାଗ ସଂସ୍ଥାମାନଙ୍କ ପୂର୍ବାନୁମାନ ଅନୁଯାୟୀ, ଏହି ସିଷ୍ଟମ ଧୀରେ ଧୀରେ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଆସି ଘନୀଭୂତ ହୋଇପାରେ।
ପୂର୍ବାନୁମାନ ମୁତାବକ, ସେପ୍ଟେମ୍ବର ୨୨ ସୁଦ୍ଧା ସିଷ୍ଟମଟି ଡିପ୍ରେସନ୍ କିମ୍ବା ଡିପ୍ ଡିପ୍ରେସନ୍ରେ ପରିଣତ ହେବାର ଆଶଙ୍କା ରହିଛି। ପରବର୍ତ୍ତୀ ସମୟରେ ସମୁଦ୍ରର ଉଚ୍ଚ ତାପମାତ୍ରା, କମ୍ ୱିଣ୍ଡ ସିୟର ଓ ଅନୁକୂଳ ବାୟୁମଣ୍ଡଳୀୟ ପରିସ୍ଥିତି ମିଳିଲେ ଏହା ଏକ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ। ଏପରି ହେଲେ ଏହା ୨୦୨୬ ମସିହାର ପ୍ରଥମ ଟ୍ରପିକାଲ ସାଇକ୍ଲୋନ୍ ଭାବେ ନାମ ପାଇବ।
ଅନ୍ୟପଟେ, ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦର୍ଶାଇଛି। IMD ଅନୁସାରେ, ସିଷ୍ଟମଟି ପଶ୍ଚିମ–ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହୋଇପାରେ। ତେବେ ଏହା ବାତ୍ୟାରେ ପରିଣତ ହେବ ବୋଲି IMD ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ଘୋଷଣା କରିନାହିଁ।
ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହା ସତରେ ବାତ୍ୟା ହେବ କି? ବିଶେଷଜ୍ଞଙ୍କ ମତରେ, ସିଷ୍ଟମଟି ଏପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ଏହାର ଗତିପଥ, ତୀବ୍ରତା ଓ ଲ୍ୟାଣ୍ଡଫଲ୍ ସ୍ଥାନ ସମ୍ପର୍କରେ ସ୍ପଷ୍ଟ ମତ ଦେବା ଶୀଘ୍ର ହେବ। ଡିପ୍ରେସନ୍ ଗଠନ ପରେ ମଡେଲ୍ଗୁଡ଼ିକ ଅଧିକ ସଠିକ୍ ଚିତ୍ର ଦେଇପାରିବ।
ଯଦି ସିଷ୍ଟମଟି ସାଇକ୍ଲୋନିକ୍ ଷ୍ଟର୍ମ ଶ୍ରେଣୀରେ ପହଞ୍ଚେ, ତେବେ ଏହାର ନାମ ‘ଅର୍ଣ୍ଣବ’ (Arnab) ରହିବ। ବାଂଲାଦେଶ ପକ୍ଷରୁ ପ୍ରସ୍ତାବିତ ଏହି ନାମ ୨୦୨୬ର ପ୍ରଥମ ନାମିତ ବାତ୍ୟା ଭାବେ ଇତିହାସରେ ସ୍ଥାନ ପାଇପାରେ।