ନୂଆଦିଲ୍ଲୀ: ସ୍ୱାମୀର ଋଣ ପାଇଁ ସ୍ତ୍ରୀ ଦାୟୀ ନୁହେଁ । ସ୍ୱାମୀ କରିଥିବା ଋଣ ପାଇଁ ସ୍ତ୍ରୀଠାରୁ ପରିଶୋଧ କରାଇବା ନେଇ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଉପରେ ବର୍ଷି ଏଭଳି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ । ତୁରନ୍ତ ସ୍ତ୍ରୀଙ୍କ ଜମା ରାଶିରୁ କଟା ଯାଇଥିବା ଟଙ୍କାକୁ ଫେରସ୍ତ କରିବାକୁ ଖଣ୍ଡପୀଠ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ ଏସବିଆଇ ଆଚରଣକୁ ବ୍ୟାଙ୍କିଙ୍ଗ୍ ନିୟମାବଳୀର ଉଲ୍ଲଂଘନ ବୋଲି ଦର୍ଶାଇ କଠୋର ଭାବେ ଭର୍ତ୍ସନା କରିଛନ୍ତି ।
ଲକ୍ଷ୍ନୌ ରିଙ୍ଗ୍ ରୋଡ୍ ସ୍ଥିତ ଏକ ହସ୍ପିଟାଲର ସହକାରୀ ପ୍ରଫେସର ଥିବା ନେହା ମିଶ୍ରଙ୍କ ସ୍ୱାମୀ ନଭେମ୍ବର ୨୦୨୦ରେ ଏସବିଆଇ ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଋଣ ନେଇଥିଲେ। ମେ’ ୨୦୨୧ରେ କୋଭିଡ୍-୧୯ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ପରେ, ବକେୟା ଋଣ ଆଦାୟ କରିବା ପାଇଁ ବ୍ୟାଙ୍କ ସେପ୍ଟେମ୍ବର ୨୦୨୫ରେ ତାଙ୍କ ପତ୍ନୀ ନେହା ମିଶ୍ରଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଥିଲା । ଏହା ସହିତ ତାଙ୍କ ଦରମା ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲା । ଆରବିଆଇ ଲୋକପାଳଙ୍କ ହସ୍ତକ୍ଷେପ ପରେ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା। ଏହା ପରେ, ଋଣ ଆଦାୟ ପ୍ରକ୍ରିୟା ସମୟରେ ବ୍ୟାଙ୍କ ମହିଳାଙ୍କ ଫିକ୍ସଡ୍ ଡିପୋଜିଟକୁ ଭାଙ୍ଗି ସେଥିରୁ ଜୋରଜବରଦସ୍ତି ୧୯ ଲକ୍ଷ ୯୦ ଲକ୍ଷ ଟଙ୍କା କାଟି ନେଇଥିଲା। ଏ ନେଇ ମହିଳା ଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ବିଚାରପତି ଶେଖର ବି ସରାଫ ଏବଂ ବିଚାରପତି ଅବ୍ଦେଶ କେ ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ସ୍ୱାମୀର ଋଣ ପାଇଁ ବିଧବା ପତ୍ନୀଠାରୁ ପରିଶୋଧ କରିବା ପ୍ରକ୍ରିୟାକୁ ନେଇ କୋର୍ଟ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସ୍ୱାମୀ କରିଥିବା ଋଣ ପାଇଁ ସ୍ତ୍ରୀ କୌଣସି ପ୍ରକାର ଦାୟୀ ନୁହେଁ ବୋଲି କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି । ଏହା ସହିତ ମହିଳାଙ୍କ ଫିକ୍ସ ଡିପୋଜିଟରୁ କଟା ଯାଇଥିବା ୧୯ ଲକ୍ଷ ୯୦ ହଜାର ୬୯୩ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।