ଜଗତସିଂହପୁର: ତିନି ଦିନ ଧରି ନିଖୋଜ ଥିବା ଯୁବକଙ୍କ ମୃତଦେହ ନଦୀରୁ ଉଦ୍ଧାର ହୋଇଛି। ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳର ବାଂଶ ଗାଁ ନିକଟ ଗୋବରୀ ନଦୀରୁ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକ ହେଲେ ବାଂଶ ଗାଁର ସନାତନ ସ୍ୱାଇଁଙ୍କ ପୁଅ ସଞ୍ଜୟ ସ୍ୱାଇଁ।
ସୂଚନା ଅନୁସାରେ, ସଞ୍ଜୟ ତିନି ଦିନ ତଳେ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଏହାପରେ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ଓ ସ୍ଥାନୀୟ ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସଞ୍ଜୟଙ୍କ କୌଣସି ସନ୍ଧାନ ମିଳିନଥିଲା।
ଆଜି ସକାଳେ ବାଂଶ ଗାଁ ଦେଇ ପ୍ରବାହିତ ଗୋବରୀ ନଦୀରେ ଏକ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ତୁରନ୍ତ ନାଉଗାଁ ପୋଲିସକୁ ଖବର ଦିଆଯାଇଥିଲା।
ସୂଚନା ପାଇ ନାଉଗାଁ ପୋଲିସ ଓ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ନଦୀରୁ ମୃତଦେହକୁ ବାହାର କରିଥିଲେ। ମୃତଦେହଟି ସଞ୍ଜୟଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଥିବା ଜଣାପଡ଼ିଛି।
ତେବେ ସଞ୍ଜୟ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ କି ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର ତଦନ୍ତ ଜାରି ରହିଛି। ତିନି ଦିନ ପରେ ଯୁବକଙ୍କ ମୃତଦେହ ମିଳିବା ପରେ ବାଂଶ ଗାଁରେ ଶୋକର ଛାୟା ଖେଳିଯାଇଛି।