ଭୁବନେଶ୍ୱର: ପୁଣି ସକ୍ରିୟ ହେଉଛି ବଙ୍ଗୋପସାଗର। ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଉପରି ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ରହିଥିବା ବେଳେ ଏହାର ପ୍ରଭାବରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଏହି ସମ୍ଭାବ୍ୟ ପାଣିପାଗ ପ୍ରଣାଳୀ ଉପରେ ନଜର ରଖିଛି।
IMDର ପୂର୍ବାନୁମାନ ଅନୁସାରେ, ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଧୀରେ ଧୀରେ ଏହା ଅଧିକ ଘନୀଭୂତ ହେବା ସହ ସେପ୍ଟେମ୍ବର ୨୧ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ। ଏହାପରେ ସିଷ୍ଟମ୍ଟି ଆହୁରି ଶକ୍ତିଶାଳୀ ହୋଇ ସେପ୍ଟେମ୍ବର ୨୨ରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ଗଭୀର ଅବପାତରେ ପରିଣତ ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଆଗକୁ ବଢ଼ି ସେପ୍ଟେମ୍ବର ୨୩ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ।
ଏହି ସିଷ୍ଟମ୍ର ପ୍ରଭାବରେ ଓଡ଼ିଶାର ପାଣିପାଗରେ ବଡ଼ ପରିବର୍ତ୍ତନ ଆସିପାରେ। ସେପ୍ଟେମ୍ବର ୨୨ରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ନେଇ IMD ପୂର୍ବାନୁମାନ କରିଛି। ବିଶେଷକରି ଦକ୍ଷିଣ ଓଡ଼ିଶା ଉପରେ ଏହାର ପ୍ରଭାବ ଅଧିକ ରହିପାରେ।
ତେବେ ବର୍ତ୍ତମାନ ସିଷ୍ଟମ୍ଟି ଲଘୁଚାପ ରୂପ ନେବା ପୂର୍ବରୁ ଏହାର ଗତିପଥ ଓ ତୀବ୍ରତା ଉପରେ ନଜର ରଖିଛି ପାଣିପାଗ ବିଭାଗ। ଆଗାମୀ ଦିନରେ ସିଷ୍ଟମ୍ର ସ୍ଥିତି ସ୍ପଷ୍ଟ ହେବା ସହ ଓଡ଼ିଶା ପାଇଁ ବର୍ଷା ଓ ଅନ୍ୟାନ୍ୟ ସତର୍କତା ନେଇ ଅଧିକ ସୂଚନା ମିଳିପାରେ।