କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) କର୍ମକର୍ତ୍ତା ନିର୍ବାଚନ ବିଳମ୍ବକୁ ନେଇ ଚାଲିଥିବା ମାମଲାରେ ହାଇକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ପକ୍ଷରୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।
ଓସିଏର କର୍ମକର୍ତ୍ତା ନିର୍ବାଚନ ଦୀର୍ଘଦିନ ଧରି ବିଳମ୍ବ ହେଉଥିବା ଦର୍ଶାଇ ପୂର୍ବତନ କ୍ରିକେଟର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟରେ ରିଟ୍ ଆବେଦନ ଦାୟର କରିଥିଲେ। ଆବେଦନରେ ନିର୍ବାଚନ ପ୍ରକ୍ରିୟା, ସମୟସୀମା ଓ ପ୍ରଶାସନିକ ବିଳମ୍ବ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଯାଇଛି।
ମାମଲାରେ ସଭାପତିଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହେବା ପରେ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ମଙ୍ଗଳବାର ଦିନ ଧାର୍ଯ୍ୟ କରିଛନ୍ତି। ସେହି ଦିନ ମାମଲା ସହ ଜଡିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି ହେବ। ଓସିଏର ନିର୍ବାଚନ କେବେ ହେବ ଏବଂ ପରବର୍ତ୍ତୀ ପ୍ରକ୍ରିୟା କିଭଳି ଆଗକୁ ବଢ଼ିବ, ତାହା ଏବେ ହାଇକୋର୍ଟର ପରବର୍ତ୍ତୀ ଶୁଣାଣି ଉପରେ ନିର୍ଭର କରୁଛି।