ଭୁବନେଶ୍ୱର: ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ଉଦ୍ୟମକୁ ମିଳିଛି ବଡ଼ ସ୍ୱୀକୃତି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର (WSC)କୁ ‘ବିକଶିତ ଭାରତ ୨୦୪୭’ ପାଇଁ ନୀତି ଆୟୋଗ ପ୍ରସ୍ତୁତ କରିଥିବା ‘ରିଇମାଜିନିଂ ସ୍କିଲିଂ’ ରିପୋର୍ଟରେ ଏକ ମଡେଲ ଭାବେ ଉଲ୍ଲେଖ କରାଯାଇଛି। ଯୁବପିଢ଼ିଙ୍କୁ ଶିଳ୍ପର ଆବଶ୍ୟକତା ଅନୁଯାୟୀ ତାଲିମ ଦେବାରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଭୂମିକାକୁ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି।
ନୀତି ଆୟୋଗର ଏହି ରିପୋର୍ଟକୁ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ରଶ୍ମି ରଞ୍ଜନ ମହାପାତ୍ର ସ୍ୱାଗତ କରିଛନ୍ତି। ଓଡ଼ିଶାରେ ଏହି ସଫଳ ମଡେଲକୁ ଆହୁରି ବ୍ୟାପକ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ସେ କହିଛନ୍ତି। ଆଗାମୀ ଦିନରେ ସମ୍ବଲପୁର ଓ ବ୍ରହ୍ମପୁରରେ ଆଉ ଦୁଇଟି ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହେବ।
ସ୍ଥାନୀୟ ଶିଳ୍ପ ଓ ନିଯୁକ୍ତି ସୁଯୋଗକୁ ଆଖିରେ ରଖି ଏହି ଦୁଇ କେନ୍ଦ୍ରରେ ଭିନ୍ନ ଭିନ୍ନ କ୍ଷେତ୍ରରେ ତାଲିମ ଦିଆଯିବ। ସମ୍ବଲପୁର କେନ୍ଦ୍ରରେ ଆଗ୍ରିଟେକ୍, ଅକ୍ଷୟ ଶକ୍ତି ଓ ରିଟେଲିଂ ଭଳି ବିଷୟରେ ପ୍ରଶିକ୍ଷଣ ଦିଆଯିବ। ସେହିପରି ବ୍ରହ୍ମପୁର କ୍ୟାମ୍ପସରେ ମରିନ୍ ଟେକ୍ନୋଲୋଜି, ଅଣ୍ଡରୱାଟର ୱେଲ୍ଡିଂ ଓ ହେଲ୍ଥକେୟାର ଆସିଷ୍ଟାଣ୍ଟ ଭଳି ଚାକିରିମୁହାଁ ତାଲିମ ରହିବ।
କେବଳ ଏତିକି ନୁହେଁ, ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆଗାମୀ ଦିନରେ ସେମିକଣ୍ଡକ୍ଟର ଓ ଆଭିଏସନ୍ କ୍ଷେତ୍ରରେ ମଧ୍ୟ ପ୍ରଶିକ୍ଷଣ ଆରମ୍ଭ କରିବାକୁ ଯୋଜନା ରହିଛି।
ନୀତି ଆୟୋଗର ରିପୋର୍ଟରେ ଶିକ୍ଷାକୁ ଶିଳ୍ପର ଆବଶ୍ୟକତା ସହ ଯୋଡ଼ିବା ଉପରେ ଜୋର ଦିଆଯାଇଛି। ଶିଳ୍ପ ସଂସ୍ଥାର ସହଭାଗିତାରେ ପ୍ରଶିକ୍ଷଣ, ଆପ୍ରେଣ୍ଟିସ୍ସିପ୍ ଏବଂ ‘ଶିଖିବା ସହ ରୋଜଗାର’ ଭଳି ମଡେଲକୁ ପ୍ରୋତ୍ସାହନ ଦେବାକୁ ସୁପାରିସ୍ କରାଯାଇଛି।
ଏଥିସହ ୨୦୨୬-୨୭ କେନ୍ଦ୍ରୀୟ ବଜେଟରେ ଘୋଷିତ ଷ୍ଟେଟ୍ ସ୍କିଲ୍ସ ଟ୍ରାନ୍ସଫର୍ମେସନ୍ ପାଇଲଟ୍ ପାଇଁ ମନୋନୀତ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ଦେଶର ଦକ୍ଷତା ବିକାଶ କ୍ଷେତ୍ରରେ ‘ସ୍କିଲ୍ଡ ଇନ୍ ଓଡ଼ିଶା’କୁ ମଧ୍ୟ ଏକ ଉଲ୍ଲେଖନୀୟ ରାଜ୍ୟସ୍ତରୀୟ ପଦକ୍ଷେପ ଭାବେ ନୀତି ଆୟୋଗ ଦର୍ଶାଇଛନ୍ତି।