ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ପ୍ରେମିକା ଘର ସାମ୍ନାରେ ପ୍ରେମିକ ହତ୍ୟା କରି ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଲେ ନିକଟସ୍ଥ ବାବରାକୋଟ ଗାଁର ସିଲୁ ରାୟ (୨୮) ।
ପ୍ରାଥମିକ ସୂଚନାନୁସାରେ, ସିଲୁ ରାୟ ବୁଧବାର ରାତି ପ୍ରାୟ ଦଶଟାରୁ ସାଢ଼େ ଦଶଟା ସମୟରେ ପ୍ରେମିକାଙ୍କୁ ଭେଟିବା ପାଇଁ ରିଆମାଳ ଲକ୍ଷ୍ମୀ ଛକଠାରେ ଥିବା ତାଙ୍କ ବାସଭବନକୁ ଯାଇଥିଲେ । ଏହି ସମୟରେ ଝିଅର ପରିବାର ଲୋକେ ସିଲୁଙ୍କୁ ଦେଖି ଦେଇଥିଲେ । ସିଲୁଙ୍କୁ ପ୍ରେମିକାର ପରିବାର ଲୋକେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହା ପରେ ପେଟ୍ରୋଲ ଢାଳି ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପ୍ରେମିକାଙ୍କ ଘରଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଘଟିଛି ।
ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ରିଆମାଳ ପୋଲିସକୁ ତୁରନ୍ତ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁକିଛି ଶେଷ ହୋଇସାରିଥିଲା । ସାଇଣ୍ଟିଫିକ୍ ଟିମ୍ ପହଁଚିବା ପରେ ଶବକୁ ଜବତ କରାଯାଇଛି । ଏହା ସହିତ ପ୍ରେମିକା, ତାଙ୍କ ବାପା ଓ ମାଆଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।
ସିଲୁ ରାୟ ଜଣେ ଇଞ୍ଜିନିୟର ଅଟନ୍ତି । କିଛି ଦିନ ତଳେ ସିଲୁ ରାୟଙ୍କ ସହିତ ଯୁବତୀ ଜଣକ ଫେରାର ହୋଇଯାଇଥିଲେ । ସିଲୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ଯୁବତୀ ଜଣକ ପୁଣି ଘରକୁ ଫେରି ଆସିଥିଲେ । ଗତ ଦୁଇ ଦିନ ତଳେ ସିଲୁ ଘରକୁ ଆସିଥିଲେ । ଗତକାଲି ପ୍ରେମିକାଙ୍କୁ ଦେଖା କରିବାକୁ ଯାଇଥିବାବେଳେ ପରିବାର ଲୋକଙ୍କ ସହିତ ଜୋରଦାର ଝଗଡ଼ା ହୋଇଥିଲା । ଏହି ସମୟରେ ଝିଅର ପରିବାର ଲୋକେ ତାଙ୍କୁ ନିର୍ଧୁମ ମାଡ଼ ମାରିବା ପରେ ଜାଳି ଦେଇଥିବା ଅଭିଯୋଗ ହୋଇଛି ।
ସେପଟେ ବାବରାକୋଟ ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରାମବାସୀ ହତ୍ୟାକାରୀକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଉଭୟ ଗ୍ରାମରେ ପୋଲିସ ମୁତୟନ କରାଯାଇଛି ।