ମୁମ୍ବାଇ: ଟାଟା ସନ୍ସର ଅଧ୍ୟକ୍ଷଭାବେ ଏନ୍. ଚନ୍ଦ୍ରଶେଖରନ ନିଜର ସ୍ଥାନ ବଜାୟ ରଖିଛନ୍ତି । ଗୁରୁବାର ମୁମ୍ବାଇରେ ଟାଟା ଗ୍ରୁପ ବୋର୍ଡ ବୈଠକରେ ସମସ୍ତ ସଦସ୍ୟ ନୋଏଲ ଟାଟାଙ୍କ ପ୍ରସ୍ତାବ ବିପକ୍ଷରେ ଯାଇ ପୁଣି ଥରେ ଚନ୍ଦ୍ରଶେଖରନଙ୍କୁ ଅଧ୍ୟକ୍ଷଭାବେ ଚୟନ କରିଛନ୍ତି । ବୋର୍ଡର ମଞ୍ଜୁରୀ ପରେ ଏନ୍. ଚନ୍ଦ୍ରଶେଖରନ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଅଧ୍ୟକ୍ଷ ପଦରେ ରହିବେ ।
ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ଓହରିଯିବାକୁ ଘୋଷଣା କରିବାର ମାସକରୁ ଅଧିକ ସମୟ ପରେ, କମ୍ପାନୀର ବୋର୍ଡ ଏନ୍. ଚନ୍ଦ୍ରଶେଖରନଙ୍କୁ ଆଉ ପାଞ୍ଚ ବର୍ଷ ପାଇଁ ଅଧ୍ୟକ୍ଷ ଭାବରେ କାର୍ଯ୍ୟକାଳ ବୃଦ୍ଧି କରିବାକୁ ସମର୍ଥନ ଜଣାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
"ସେପ୍ଟେମ୍ବର ୨୦୨୫ରେ, ଟାଟା ସନ୍ସ ବୋର୍ଡ ଚନ୍ଦ୍ରଶେଖରନଙ୍କୁ ଆଉ ପାଞ୍ଚ ବର୍ଷ ପାଇଁ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ପୁନଃନିଯୁକ୍ତ କରିବାକୁ ନୀତିଗତ ଭାବେ ସହମତି ପ୍ରକାଶ କରିଥିଲା। ଆଇନଗତ ବ୍ୟବସ୍ଥା ଅନୁଯାୟୀ, ବୋର୍ଡ ଫେବୃଆରୀ ୨୦୨୬ରେ ଆବଶ୍ୟକୀୟ ଆନୁଷ୍ଠାନିକ ଅନୁମୋଦନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ସର୍ବସମ୍ମତି ଅଭାବରୁ ଏହି ପ୍ରସ୍ତାବ ଉପରେ ନିଷ୍ପତ୍ତି ସ୍ଥଗିତ ରଖାଯାଇଥିଲା। ମେ ଏବଂ ଜୁନ୍ ମାସରେ ଅନୁଷ୍ଠିତ ପରବର୍ତ୍ତୀ ବୋର୍ଡ ବୈଠକରେ ଏହି ବିଷୟ ଉପରେ ଆଲୋଚନା ହୋଇଥିଲା କିନ୍ତୁ କୌଣସି ସମାଧାନ ହୋଇପାରିନଥିଲା।
ଅଗଷ୍ଟ ୧୨ ତାରିଖରେ ଚନ୍ଦ୍ରଶେଖରନ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବା ପରେ ପୁନଃନିଯୁକ୍ତିରୁ ନିଜକୁ ଦୂରେଇ ରଖିବାକୁ ଘୋଷଣା କରିଥିଲେ । ଚନ୍ଦ୍ରଶେଖରନଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଆସନ୍ତା ବର୍ଷ ଫେବୃଆରୀ ୨୦ ତାରିଖରେ ଶେଷ ହେଉଛି । ସେପ୍ଟେମ୍ବର ୩ ତାରିଖରେ, ଟାଟା ସନ୍ସ ବୋର୍ଡର 'ନୋମିନେସନ୍ ରେମ୍ୟୁନରେସନ୍ କମିଟି' ଚନ୍ଦ୍ରଶେଖରନଙ୍କ ଇସ୍ତଫା ପତ୍ର ଏବଂ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ପୁନଃନିଯୁକ୍ତ କରିବା ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବୈଠକ କରିଥିଲା। ଉଚିତ୍ ବିଚାରବିମର୍ଶ ପରେ ଏବଂ ତାଙ୍କର ଅବଦାନ ତଥା ଟାଟା ଗ୍ରୁପର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଏନଆରସି ସର୍ବସମ୍ମତି କ୍ରମେ ତାଙ୍କୁ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ । ପରବର୍ତ୍ତୀ ବୋର୍ଡ ବୈଠକରେ ପୁନଃନିଯୁକ୍ତି ପାଇଁ ସୁପାରିଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ବୋଲି ଟାଟା ସନ୍ସ ବିବୃତ୍ତିରେ କହିଛି ।