ନୂଆଦିଲ୍ଲୀ: ଡିଜିଟାଲ୍ ଲେଣଦେଣ ଉପରେ ଶୁଳ୍କ ଲଗାଯିବା ନେଇ ଦେଖାଦେଇଥିବା ବିରୋଧ ଭିତରେ ସରକାର UPI ମର୍ଚ୍ଚଣ୍ଡ ଡିସକାଉଣ୍ଟ ରାଟ୍ (MDR) କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ସୂଚନା ଅନୁଯାୟୀ, ୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ବ୍ୟବସାୟୀମାନଙ୍କୁ ୦.୪ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ।
NPCI ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଅକ୍ଟୋବର 15 ତାରିଖରୁ UPI ଜରିଆରେ ୨,୦୦୦ ଟଙ୍କାରୁ ଅଧିକ କାରବାର ଉପରେ ବ୍ୟବସାୟୀଙ୍କୁ ଏହି ଶୁଳ୍କ ଦେବାକୁ ହେବ। ଅନ୍ୟପକ୍ଷରେ, ୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI ଟ୍ରାଞ୍ଜାକ୍ସନ୍ ସମ୍ପୂର୍ଣ୍ଣ ମାଗଣା ରହିବ ଏବଂ ଏଥିପାଇଁ କୌଣସି ବ୍ୟାଙ୍କ ବା ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର୍ କୌଣସି ପ୍ରକାରର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଶୁଳ୍କ ଆଦାୟ କରିପାରିବେ ନାହିଁ।
ସର୍ବାଧିକ ସୀମା କେତେ ରହିବ ?
ଏହି ଶୁଳ୍କକୁ ମର୍ଚ୍ଚଣ୍ଟ ଡିସକାଉଣ୍ଟ ରାଟ୍ (MDR) କୁହାଯାଏ। ଏହାର ହାର ୦.୪% ରହିଥିଲେ ମଧ୍ୟ ଗୋଟିଏ ଟ୍ରାଞ୍ଜାକ୍ସନ୍ ପାଇଁ ସର୍ବାଧିକ ସୀମା ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
୫,୦୦୦ ଟଙ୍କା ପେମେଣ୍ଟ କଲେ ୨୦ ଟଙ୍କା MDR କାଟିବ।
୧୦,୦୦୦ ଟଙ୍କା ପେମେଣ୍ଟ କଲେ ୪୦ ଟଙ୍କା MDR କାଟିବ।
୫୦,୦୦୦ ଟଙ୍କା ପେମେଣ୍ଟ କଲେ ୨୦୦ ଟଙ୍କା MDR କାଟିବ।
ଯଦି କେହି ୭୫,୦୦୦ ଟଙ୍କା ବା ତାହାଠାରୁ ଅଧିକ ପେମେଣ୍ଟ କରନ୍ତି, ତେବେ ୦.୪ ପ୍ରତିଶତ ହିସାବରେ ଅଧିକ ହେଲେ ମଧ୍ୟ ବ୍ୟବସାୟୀଙ୍କଠାରୁ ସର୍ବାଧିକ କେବଳ ୩୦୦ ଟଙ୍କା ହିଁ କାଟିବ।
କିପରି ରହିବ ନୂତନ ଫ୍ରେମୱାର୍କ ?
ମାଗଣା ସେବା: QR କୋଡ୍ ଜରିଆରେ ମାସିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଛୋଟ ବ୍ୟବସାୟୀମାନଙ୍କୁ କୌଣସି MDR ଦେବାକୁ ପଡ଼ିବ ନାହିଁ।
ସ୍ୱତନ୍ତ୍ର ବର୍ଗ: ରେଳବାଇ ଏବଂ ଇନ୍ଧନ (Fuel) ଭଳି କିଛି ସ୍ୱତନ୍ତ୍ର ବର୍ଗରେ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ୫ ଟଙ୍କାର ଫ୍ଲାଟ୍ ଫିସ୍ ଲାଗିବ।
ଛୋଟ ବ୍ୟବସାୟୀଙ୍କ ପାଇଁ ସୁରକ୍ଷା: ସମସ୍ତ UPI P2M ଟ୍ରାଞ୍ଜାକ୍ସନର ୯୫ ପ୍ରତିଶତରୁ ଅଧିକ ଅଂଶ ହେଉଛି ୨,୦୦୦ ଟଙ୍କା କମ୍ମ ଭିତରେ, ଯାହା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଛୋଟ ବେପାରୀଙ୍କ ପାଇଁ ଡିଜିଟାଲ୍ ପେମେଣ୍ଟ ଇନଫ୍ରାଷ୍ଟ୍ରକ୍ଚରକୁ ଅଗ୍ରେଡ୍ କରିବାକୁ ଏକ ସ୍ୱତନ୍ତ୍ର ପାଣ୍ଠି (Fund) ମଧ୍ୟ ଗଠନ କରାଯିବ।