ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଶ୍ୱକର୍ମାଙ୍କ ଭଳି ଆଧୁନିକ ଭାରତର ବିନ୍ଧାଣୀ । ମୋଦୀଙ୍କ ସମ୍ପୂର୍ଣ୍ଣ ଜୀବନ ଦେଶ ସେବା ପାଇଁ ସମର୍ପିତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ “ସେବା ସଂକଳ୍ପ” କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ ସ୍ତରୀୟ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଶ୍ୱକର୍ମା ପୂଜା ଅବସରରେ ରାଜ୍ୟର ସମସ୍ତ ବିନ୍ଧାଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମଞ୍ଚରୁ ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଶ୍ୱକର୍ମାଙ୍କ ଭଳି ଆଧୁନିକ ଭାରତର ବିନ୍ଧାଣୀ । ଦୀର୍ଘ ୫୦ ଧରି ସେ ଦେଶର ସେବା କରିଛନ୍ତି । ସେଥି ମଧ୍ୟରେ ୨୫ ବର୍ଷର ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ଭାରତ କାୟାକଳ୍ପରେ ବିସ୍ତାର ଲାଭ କରିଛି । ମୋଦୀଙ୍କ ସମ୍ପୂର୍ଣ୍ଣ ଜୀବନ ଦେଶ ସେବା ପାଇଁ ସମର୍ପିତ ।
ଆୟୋଜିତ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ କେବଳ ଗୋଟିଏ ସରକାରୀ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ହେଉଛି ସେବା, ଉତ୍ସର୍ଗୀକୃତ ତ୍ୟାଗ ଓ ସାମୁହିକ ଭାବନାର ଜନ ଆନ୍ଦୋଳନ । ପ୍ରଧାନମନ୍ତ୍ରୀ ସର୍ବଦା ନିଷ୍ଠାପର ସହିତ ଜନ ସେବା, ସମାଜର ଶେଷ ଧାଡ଼ିରେ ଥିବା ପ୍ରତ୍ୟେକଟି ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରେରଣା ଦେଇ ଆସିଛନ୍ତି ।
ରକ୍ତ ଦାନ ଶିବିରରେ ଅଂଶ ଗ୍ରହଣ କରି ରକ୍ତ ଦାନ କରିଥିବା ସମସ୍ତ ଯୁବକ, ଯୁବତୀ, ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ କୃତଜ୍ଞତା ଜଣାଇଛନ୍ତି ।
କାର୍ଯ୍ୟକ୍ରମର ଦାୟିତ୍ୱ ନେଇଥିବା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସହିତ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ବାବୁ ସିଂ, ପ୍ରଶାନ୍ତ ଜଗଦେବ, ଇରାଶିଷ ଆଚାର୍ଯ୍ୟ ଓ ଦୁର୍ଗା ପ୍ରସାଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରେ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ "ସେବାରେ ମୋର ଯୋଗଦାନ" (#SevaMeraYogdan) କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିଛନ୍ତି । ସମସ୍ତେ ସେବା ଦାନ କରି ଏହି ମହତ୍ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି ।