ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ମହାନଦୀ ଜଳ ବଣ୍ଟନ ବିବାଦ ମାମଲାରେ ପୁଣି ଘୁଞ୍ଚିଲା ଶୁଣାଣି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ମାମଲାର ପରବର୍ତ୍ତୀ ଶୁଣାଣିକୁ ସେପ୍ଟେମ୍ବର ୨୮ ପାଇଁ ଧାର୍ଯ୍ୟ କରିଛନ୍ତି।
ଟ୍ରିବ୍ୟୁନାଲରେ କେନ୍ଦ୍ରୀୟ ଜଳ ଆୟୋଗ (CWC) ସମ୍ମିଳିତ ବିସ୍ତାରିତ ବୈଷୟିକ କମିଟିର ପ୍ରଗତି ରିପୋର୍ଟ ଉପରେ ଆଲୋଚନା ହେବାର ଥିଲା। ଏହି କମିଟି ଉଭୟ ରାଜ୍ୟ ଦ୍ୱାରା ଦାଖଲ କରାଯାଇଥିବା ଜଳ ଉପଲବ୍ଧତା ଓ ବ୍ୟବହାର ସମ୍ପର୍କିତ ତଥ୍ୟର ଯାଞ୍ଚ କରୁଛି।
ରାଜ୍ୟର ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ମହାନଦୀ ବିବାଦର ସମାଧାନ ଦୀର୍ଘ ଆଇନଗତ ଲଢ଼େଇ ନୁହେଁ, ବରଂ ପାରସ୍ପରିକ ବୁଝାମଣା ଓ ଭାଇଚାରା ମାଧ୍ୟମରେ ହେବା ଉଚିତ୍। ଜଳ ବିବାଦର ସ୍ଥାୟୀ ସମାଧାନ କୋର୍ଟ ଅପେକ୍ଷା ଆଲୋଚନାରେ ଅଧିକ ସମ୍ଭବ ବୋଲି ସେ ମତ ରଖିଛନ୍ତି।
ସିଡବ୍ଲ୍ୟୁସି ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଟିମ୍ ଦୁଇଟି ବୈଠକ ସାରିସାରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୧ରେ ପରବର୍ତ୍ତୀ ବୈଠକ ବସିବ, ଯେଉଁଠାରେ ଉଭୟ ରାଜ୍ୟର ଜଳ ସୁରକ୍ଷା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମନ୍ୱିତ ଜଳ ବଣ୍ଟନର ଏକ ଖସଡ଼ା ଢାଞ୍ଚା ପ୍ରସ୍ତୁତ କରାଯିବ। ଓଡ଼ିଶା ସରକାର ରାଜ୍ୟର ଜଳ ସ୍ୱାର୍ଥ ସୁରକ୍ଷିତ ରଖିବା ସହ ସହଯୋଗମୂଳକ ସମାଧାନ ପାଇଁ ପ୍ରତିବଦ୍ଧ ବୋଲି ଆଡଭୋକେଟ୍ ଜେନେରାଲ ପୁଣିଥରେ ସ୍ପଷ୍ଟ କରିଛନ୍ତି।