ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ପ୍ରଭାବରେ ଓଡ଼ିଶାରେ ପାଗ ପରିବର୍ତ୍ତନ ହେବା ସହ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବିଶେଷକରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆଜି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ଜାରି ହୋଇଛି ୟେଲ୍ଲୋ ୱାର୍ଣ୍ଣିଂ।
ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୩୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅନେକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି ହୋଇଛି।
ଆସନ୍ତା ମଙ୍ଗଳବାର ଠାରୁ ବର୍ଷାର ପରିମାଣ ବଢ଼ିବ। ଲଘୁଚାପ ଅବପାତର ରୂପ ନେଉଥିବାରୁ ସେପ୍ଟେମ୍ବର ୨୧ ସୁଦ୍ଧା ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ୨୧ରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବ। ପରେ ୨୨ରେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ହେବା ସମ୍ଭାବନା ରହିଛି। ବାତ୍ୟା ନେଇ ଏଯାଏଁ କୌଣସି ସ୍ପଷ୍ଟ ଆକଳନ କରାଯାଇନଥିବାବେଳେ ୨୨ରୁ ୨୫ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ବିଭିନ୍ନ ମଡେଲ୍ ଆଣ୍ଡାମାନ ସାଗରରେ ବାତ୍ୟା ସୃଷ୍ଟି ନେଇ ପାଗ ଅନୁକୂଳ ଥିବା କହୁଛନ୍ତି।