ଭୁବନେଶ୍ବର: ଖୁବ ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବାକୁ ଯାଉଛି ବୋଲି ବଡ଼ ସୂଚନା ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ।ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ କହିଛନ୍ତି ମହାନଦୀକୁ ନେଇ କୌଣସି ପ୍ରକାର ଜଳ ବିବାଦ ନାହିଁ । ଦିଲ୍ଲୀରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିଷ୍ପତ୍ତି ପାଇଁ ଉଭୟ ରାଜ୍ୟ CWCକୁ ସହମତି ଜଣାଇ ସାରିଛନ୍ତି । CWC ଯାହା ନିଷ୍ପତ୍ତି ନେବ ତାକୁ ଉଭୟ ରାଜ୍ୟ ମାନିବୁ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆହୁରି ସେ କହିଛନ୍ତି ଯେ, ବିଜେପି ସରକାର ଆସିବା ପରେ ଯେଉଁ ସବୁ ରାଜ୍ୟରେ ଜଳ ବିବାଦ ଥିଲା ତାର ଧୀରେ ଧୀରେ ସମାଧାନ ହେଉଛି । ଓଡ଼ିଶାରେ ବିଜେପି, ଛତିଶଗଡ଼ରେ ବିଜେପି, କେନ୍ଦ୍ରରେ ଏନ୍ଡିଏ ସରକାର ଅଛି । ତେଣୁ ଖୁବ ଶୀଘ୍ର ମହାନଦୀ ବିବାଦର ସମାଧାନ ହେବାକୁ ଯାଉଛି କହିଛନ୍ତି ବିଷ୍ଣୁଦେବ ସାଏ ।
ଏପଟେ ମହାନଦୀ ଜଳ ବିବାଦକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ମହାନଦୀ ପ୍ରସଙ୍ଗରେ ଉଭୟ ରାଜ୍ୟ ମଧ୍ୟରେ କୌଣସି ଅଫିସିଆଲ ଆଲୋଚନା ହେବ କି, ସେନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ସରକାରଙ୍କୁ ଅଢେଇ ବର୍ଷରୁ ଅଧିକ ସମୟ ହୋଇଥିବାବେଳେ ମହାନଦୀ ପ୍ରସଙ୍ଗରେ କେତେ ପାଦ ଆଗକୁ ବଢ଼ିଛି, ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।
ସୂଚନା ଥାଉକି ମହାନଦୀର ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବର୍ଷ ବର୍ଷ ଧରି ବିବାଦ ରହିଛି । ଛତିଶଗଡ଼ ଉପରମୁଣ୍ଡରେ ନିର୍ମାଣ କରିଥିବା ବିଭିନ୍ନ ବ୍ୟାରେଜ୍ ଓ ଜଳ ପ୍ରକଳ୍ପ ଯୋଗୁଁ ଅଣମୌସୁମୀ ସମୟରେ ଓଡ଼ିଶାକୁ ମହାନଦୀର ଜଳପ୍ରବାହ ପ୍ରଭାବିତ ହେଉଥିବା ଓଡ଼ିଶାର ଅଭିଯୋଗ ରହିଛି । ବିଶେଷ କରି ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ଜଳ ଏବଂ ତଳମୁଣ୍ଡରେ ଜଳ ଆବଶ୍ଯକ ଉପରେ ଏହାର ପ୍ରଭାବ ପଡ଼ୁଥିବା ଓଡ଼ିଶା କହିଆସୁଛି । ବିବାଦର ସମାଧାନ ପାଇଁ ଓଡ଼ିଶାର ଅନୁରୋଧ କ୍ରମେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ କରିଥିଲେ । ଆଇନଗତ ପ୍ରକ୍ରିୟା ସହ ଏବେ ଉଭୟ ରାଜ୍ୟ ଆଲୋଚନା ଓ ବୈଷୟିକ ସ୍ତରରେ ସମାଧାନର ବାଟ ଖୋଜା ଚାଲିଛି ।