ଭୁବନେଶ୍ୱର: ଓଡ଼ିଶା ପୋଲିସ କର୍ମଚାରୀଙ୍କ ପାଇଁ ଡ୍ୟୁଟି ସମୟରେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଭୁବନେଶ୍ୱର-କଟକ ପୋଲିସ କମିସନରେଟ୍ ପକ୍ଷରୁ ସୋସିଆଲ ମିଡିଆ ଓ ମୋବାଇଲ ବ୍ୟବହାର ନେଇ ମାର୍ଗଦର୍ଶିକା ପ୍ରକାଶ ପାଇଛି। ଅନୁମତି ବିନା ସୋସିଆଲ ମିଡିଆରେ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଡ୍ୟୁଟିରେ ଥିବା ସମୟରେ କୌଣସି ପୋଲିସ କର୍ମଚାରୀ ଅନୁମତି ବିନା ସୋସିଆଲ ମିଡିଆରେ ଫଟୋ ବା ଭିଡିଓ ପୋଷ୍ଟ କରିପାରିବେ ନାହିଁ। ବିଶେଷ କରି ଲୋକ ସେବା ଭବନ, ଲୋକ ଭବନ, ଶ୍ରୀ ଲିଙ୍ଗରାଜ ମନ୍ଦିର, ଓଡ଼ିଶା ବିଧାନସଭା, ଓଡ଼ିଶା ହାଇକୋର୍ଟ, ଆରବିଆଇ (RBI) ଏବଂ ଅସ୍ତ୍ରାଗାର ଭଳି ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ସ୍ଥାନରେ ମୋବାଇଲ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହୋଇଛି।
ପୋଲିସ ସେବା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା, କର୍ତ୍ତବ୍ୟରେ ଅବହେଳା ରୋକିବା, ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବା ଏବଂ ସରକାରୀ ଗୁପ୍ତତା ବଜାୟ ରଖିବା ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ ଅଟେ।