ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହା ଆଜି ସନ୍ଧ୍ୟା ସୁଦ୍ଧା ଏକ ସ୍ପଷ୍ଟ ଅବପାତ ଏବଂ ଆସନ୍ତା ୨୩ ତାରିଖ ସୁଦ୍ଧା ଏହା ଏକ ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି। ତେବେ ଏହି ସିଷ୍ଟମ୍ ମୌସୁମୀ ବାୟୁ ସହ ଜଡ଼ିତ ଥିବାରୁ ଏହା ଅଧିକ ଭୟଙ୍କର ରୂପ ନେବାର ଆଶଙ୍କା କମ୍ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଗଞ୍ଜାମ ଓ ପୁରୀ ମଧ୍ୟ ଦେଇ ଅତିକ୍ରମ କରିପାରେ
ପ୍ରାଥମିକ ପାଣିପାଗ ତଥ୍ୟ ଅନୁଯାୟୀ, ଏହି ଅବପାତଟି ଆସନ୍ତା ୨୩ ତାରିଖ ରାତି କିମ୍ବା ୨୪ ତାରିଖ ପୂର୍ବାହ୍ନରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଏବଂ ପୁରୀ ଜିଲ୍ଲା ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ପବନର ମାତ୍ରା କମ୍ ରହିଲେ ମଧ୍ୟ ସେପ୍ଟେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
କେଉଁ କେଉଁ ଅଞ୍ଚଳରେ ରହିଛି ପ୍ରଭାବ?
ଏହି ଲଘୁଚାପଜନିତ ବର୍ଷା ରାଜ୍ୟର ମୁଖ୍ୟତଃ ଉପକୂଳ, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ଅନୁଭୂତ ହେବ। ୨୨ ତାରିଖରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଖରାପ ପାଣିପାଗ ଏବଂ ସମୁଦ୍ର ଅଶାନ୍ତ ରହୁଥିବାରୁ ଆଜି (୨୧ ତାରିଖ)ଠାରୁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।