ବଲାଙ୍ଗିର: ସରକାରୀ କ୍ୱାର୍ଟର୍ସ ଭିତରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର। ଓଡ଼ିଶାର ବଲାଙ୍ଗିର ଜିଲ୍ଲାରେ ରବିବାର ଘଟିଛି ଏହି ଘଟଣା। ମୃତକ ହେଲେ ୫୯ ବର୍ଷୀୟ ବ୍ୟାସଦେବ ସାହୁ। ସେ ବଲାଙ୍ଗିର ଫରେଷ୍ଟ ରେଞ୍ଜରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିଲେ।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ରେଞ୍ଜ ଅଫିସ୍ ପଛପଟେ ଥିବା ଷ୍ଟାଫ୍ କ୍ୱାର୍ଟର୍ସ ଭିତରେ ବ୍ୟାସଦେବଙ୍କୁ ମୃତ ଅବସ୍ଥାରେ ତାଙ୍କ ସହକର୍ମୀମାନେ ଦେଖିଥିଲେ। ଏହାପରେ ତୁରନ୍ତ ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତେବେ ଫରେଷ୍ଟରଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ବିଭିନ୍ନ ଦିଗ ନେଇ ତଦନ୍ତ କରୁଥିବା ବେଳେ ମୃତ୍ୟୁ ପଛର କାରଣ ସମ୍ପର୍କରେ ଅଧିକ ତଥ୍ୟ ଅପେକ୍ଷା କରାଯାଇଛି।
ଅନ୍ୟପଟେ, ବ୍ୟାସଦେବ ସାହୁଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି। ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଅଧିକ କାର୍ଯ୍ୟଚାପ ରହୁଥିବା ପରିବାର ଅଭିଯୋଗ କରିଛି। ଏହି ଅଭିଯୋଗର ସଠିକ୍ ତଦନ୍ତ କରିବା ସହ ଘଟଣାର ସମସ୍ତ ଦିଗ ଖୋଳତାଡ଼ କରିବାକୁ ପରିବାର ଦାବି କରିଛି। ପୁଲିସ ତଦନ୍ତ ପରେ ହିଁ ଫରେଷ୍ଟରଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।