ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଏକାଧିକ ବିଦ୍ୟାଳୟକୁ ବୋମା ଧମକ ମିଳିଛି । “ଦିଲ୍ଲୀ ହେବ ଖାଲିସ୍ତାନ” ଏଭଳି ଲେଖାଥିବା ଧମକପୂର୍ଣ୍ଣ ଇମେଲ୍ ମଧ୍ୟ ଆସିଛି । ଯାହା ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଆଜି ଦିଲ୍ଲୀର ବିଭିନ୍ନ ସ୍କୁଲ ଗୁଡ଼ିକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଥିଲା । ଦିଲ୍ଲୀ ଚାଣକ୍ୟପୁରୀରେ ଥିବା ସଂସ୍କୃତ ବିଦ୍ୟାଳୟ, ଦ ବ୍ରିଟିଶ୍ ସ୍କୁଲ ଏବଂ ନ୍ୟାଭି ଚିଲେଡ୍ରେନ୍ ସ୍କୁଲ ଓ ରୋହିଣୀ ନଗରରେ ଥିବା ଭାରତୀ ବିଦ୍ୟାଳୟ ସହିତ ଚାରୋଟି ବିଦ୍ୟାଳୟକୁ ସକାଳ ୦୯ ଟା ୩୦ ମିନିଟର୍ ମେଲ୍ ଆସିଛି । ଖାଲି ସେତିକି ନୁହେଁ ରାଜେନ୍ଦ୍ର ନଗରରେ ଥିବା ତିନୋଟି ବିଦ୍ୟାଳୟ ମଧ୍ୟ ଏଭଳି ମେଲ୍ ପାଇଛନ୍ତି । ଏହା ପରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । ମାର୍ଗଦର୍ଶିକା ଅନୁଯାୟୀ ତୁରନ୍ତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଏବଂ ସ୍ଥାନୀୟ ପୋଲିସ ଯାଞ୍ଚ କରିଛନ୍ତି । ତେବେ ସେଭଳି କିଛି ସନ୍ଦିଗ୍ଧ ପଦାର୍ଥ ମିଳିନଥିବା ଜଣାପଡ଼ିଛି ।
ସେପଟେ ଇମେଲରେ ଦିଲ୍ଲୀକୁ ଖାଲିସ୍ତାନରେ ପରିଣତ କରିବାକୁ ଲେଖା ଯାଇଛି । ଖାଲି ସେତିକି ନୁହେଁ ସେପ୍ଟେମ୍ବର ୨୧ ରୁ ୨୯ ତାରିଖ ମଧ୍ୟରେ ଦିଲ୍ଲୀ ଆସୁଥିବା କୌଣସି ଟ୍ରେନରେ ଯାତ୍ରା ନ କରିବାକୁ ମଧ୍ୟ କୁହାଯାଇଛି । ପଞ୍ଜାବରୁ ଦିଲ୍ଲୀ ସଂଯୋଗ ଥିବା ରେଳ ଧାରଣାକୁ ଆଇଇଡି ବିସ୍ଫୋରଣରେ ଉଡ଼ାଇ ଦେବାକୁ ମଧ୍ୟ ଧମକ ଦିଆଯାଇଛି । ଖବର ଲେଖା ଯିବା ବେଳକୁ ସେଭଳି କିଛି ସନ୍ଦିଗ୍ଧ ସାମଗ୍ରୀ ମିଳିପାରିନଥିଲା ।
ଉଲ୍ଲେଖ ଯୋଗ୍ୟ, ଗତ ୧୫ ତାରିଖରେ ମଧ୍ୟ ଦିଲ୍ଲୀର ବିଭିନ୍ନ ବିଦ୍ୟାଳୟକୁ ଏଭଳି ମେଲ୍ ଆସିଥିଲା । ଏହା ପୂର୍ବରୁ ଦିଲ୍ଲୀ ବିଧାନସଭା, ସିବିକ୍ ସେଣ୍ଟର୍, ମେୟର କାର୍ୟ୍ୟାଳୟକୁ ମଧ୍ୟ ମେଲରେ ଧମକ ଆସିଥିଲା । ଯାଞ୍ଚ ପରେ ଏଗୁଡ଼ିକ ମିଥ୍ୟା ଧମକ ଥିବା ସ୍ପଷ୍ଟ ହୋଇଥିଲା ।