ଭୁବନେଶ୍ୱର: ରାଜ୍ୟର ଖଣିଜ ସମ୍ପଦ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଏକ ପତ୍ର ଲେଖିଛନ୍ତି। ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ (ଏମଏମଡିଆର) ସଂଶୋଧନ ଆଇନକୁ ପ୍ରତ୍ୟାହାର କରାଇବା ପାଇଁ ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହିତ କରିବାକୁ ସେ ଦାବି କରିଛନ୍ତି।
ଓଡ଼ିଶାର ଅଧିକାର ପାଇଁ ଏକାଠି ହେବାକୁ ଆହ୍ୱାନ
ନବୀନ ପଟ୍ଟନାୟକ ତାଙ୍କ ଦ୍ୱିତୀୟ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବିଜେଡି ସବୁବେଳେ ଓଡ଼ିଶାର ସ୍ୱାର୍ଥ ଏବଂ ଯୁବ ସମାଜର ଭବିଷ୍ୟତ ପାଇଁ ଲଢ଼ିଆସିଛି। ନିକଟରେ ସଂସଦରେ ବିନା ଆଲୋଚନାରେ ଗୃହିତ ହୋଇଥିବା ଏହି ବିବାଦୀୟ ଖଣି ଆଇନ ସଂଶୋଧନକୁ ପ୍ରତ୍ୟାହାର କରିବାକୁ ହେଲେ ରାଜ୍ୟର ସମସ୍ତ ରାଜନୈତିକ ଦଳକୁ ଦଳୀୟ ସୀମା ବାହାରକୁ ଆସି ଏକାଠି କାମ କରିବାକୁ ପଡ଼ିବ। ଏଭଳି ଏକ ସମ୍ମିଳିତ ପ୍ରୟାସକୁ ରାଜ୍ୟବାସୀ ଏକ ଐତିହାସିକ ମୁହୂର୍ତ୍ତ ଭାବେ ମନେ ରଖିବେ ବୋଲି ସେ ମତ ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ରାୟ ଓ ରାଜ୍ୟର ଆର୍ଥିକ କ୍ଷତି
ପୂର୍ବରୁ ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ବେଞ୍ଚ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେଇ ଖଣି ଅଞ୍ଚଳ ଉପରେ ଟିକସ ଆଦାୟର ଅଧିକାରକୁ ଠିକ୍ ବୋଲି ଦର୍ଶାଇଥିଲେ। ଏହି ଐତିହାସିକ ରାୟ ବଳରେ ଓଡ଼ିଶା କୋଟି କୋଟି ଟଙ୍କାର ବକେୟା ରାଜସ୍ୱ ସହ ବାର୍ଷିକ ପ୍ରାୟ ୧୨ ହଜାର କୋଟି ଟଙ୍କାର ଅତିରିକ୍ତ ଆୟ ପାଇବାର ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ନୂତନ ସଂଶୋଧନ ଆଇନ କାରଣରୁ ରାଜ୍ୟର ସେହି ସାମ୍ବିଧାନିକ କ୍ଷମତା ଓ ଆର୍ଥିକ ଅଧିକାର କ୍ଷୁଣ୍ଣ ହୋଇଯାଇଛି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ
ବିରୋଧୀ ଦଳ ନେତା କହିଛନ୍ତି ଯେ ରାଜ୍ୟର କ୍ଷତି କରୁଥିବା ଏହି ଆଇନ ବିରୋଧରେ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ କରାଇବା ମୁଖ୍ୟମନ୍ତ୍ରୀଙ୍କର ଏକ ପ୍ରମୁଖ ନୈତିକ ଦାୟିତ୍ୱ ଅଟେ। ଯଦି ରାଜ୍ୟ ସରକାର ଏହି ପଦକ୍ଷେପ ନିଅନ୍ତି, ତେବେ ବିଜୁ ଜନତା ଦଳ ପକ୍ଷରୁ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ସେ ପତ୍ରରେ ସ୍ପଷ୍ଟ କରିଛନ୍ତି।