ନୂଆଦିଲ୍ଲୀ: ଦଶହରାରେ ବଦଳଯିବ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟିକ ସମ୍ପର୍କ ଚିତ୍ର । ସୋମବାର ଦୁଇ ଦେଶ ମଧ୍ୟରେ ୨୭ ଏପ୍ରିଲରେ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ଚୁକ୍ତି ଅନୁଯାୟୀ ନ୍ୟୁଜିଲାଣ୍ଡ ଭାରତୀୟ ସାମଗ୍ରୀ ଉପରେ କୌଣସି ଶୁଳ୍କ ଆଦାୟ କରିବ ନାହିଁ । ଆସନ୍ତା ମାସ ୨୦ ତାରିଖରୁ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ଲାଗୁ ହେବାକୁ ଯାଉଛି । କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋଏଲ୍ ସୂଚନା ଦେଇଛନ୍ତି ।
ଗତ ୨୭ ଏପ୍ରିଲରେ ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ବାଣିଜ୍ୟିକ ଚୁକ୍ତିକୁ ସେପ୍ଟେମ୍ବର ୧୬ ତାରିଖରେ ନ୍ୟୁଜିଲ୍ୟାଣ୍ଡ ସଂସଦ ଅନୁମୋଦନ କରିଛି । ସଂସଦରେ ୯୩ଟି ଭୋଟ୍ ପ୍ରସ୍ତାବ ସପକ୍ଷରେ ପଡ଼ିଥିବାବେଳେ ୨୯ଟି ବିପକ୍ଷରେ ଆସିଛି । ଶାସକ ଦଳ ନ୍ୟାସନାଲ୍ ପାର୍ଟି ଏବଂ ମୁଖ୍ୟ ବିରୋଧ ଦଳ ଉଭୟ ଚୁକ୍ତି ସପକ୍ଷରେ ମତଦାନ କରିଛନ୍ତି ।
ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ ନିଜର ତିନି ବର୍ଷ ତଳର ପ୍ରତିଶ୍ରୁତିକୁ ପୂରଣ କରିଥିବା କହିଛନ୍ତି । ଏଫଟିଏ ଚୁକ୍ତିକୁ ଅନ୍ତିମ ରୂପ ଦିଆଯାଇଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ କହିଛନ୍ତି । ନ୍ୟୁଜିଲ୍ୟାଣ୍ଡ ସଂସଦ ପ୍ରସ୍ତାବକୁ ଅନୁମୋଦନ କରିଛି । ଫଳରେ ଆସନ୍ତା ମାସଠାରୁ ଦୁଇ ଦେଶ ମଧ୍ୟରେ ଏକ ନୂତନ ବାଣିଜ୍ୟିକ ସମ୍ପର୍କ ଆରମ୍ଭ ହେବ । ସେ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ତାଙ୍କ ସରକାରକୁ ଆସେ ତେବେ ସେ ଭାରତ ସହିତ ମୁକ୍ତ ବାଣିଜ୍ୟ ବେପାର କରିବେ । ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ବେପାର ବଢ଼ିବା ସହିତ ନ୍ୟୁଜିଲ୍ୟାଣ୍ଡର ନିଯୁକ୍ତି ଓ ଆମଦାନୀ ବୃଦ୍ଧି ପାଇବ । ଏହା ଭାରତ ୧୪୦ କୋଟି ଉପଭୋକ୍ତାଙ୍କୁ ମଧ୍ୟ ଲାଭାନ୍ୱିତ କରିବ । ସେ କହିଛନ୍ତି ଯେ ଆରମ୍ଭରୁ ଏହି ଏଫଟିଏ ଚୁକ୍ତିନାମା ସମ୍ଭବ ନୁହେଁ ବୋଲି ପ୍ରତୀୟମାନ ହେଉଥିଲା । କିନ୍ତୁ ଏହାକୁ ସ୍ପଷ୍ଟ ବହୁମତ ମିଳିଛି । ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ଦ୍ୱାରା ଭାରତର କପଡ଼ା, ଚମଡ଼ା ଓ ଜୋତା, ଅଳଙ୍କାର, ଯାନ୍ତ୍ରିକ ସାମଗ୍ରୀ ଏବଂ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ଉତ୍ପାଦ ବୃଦ୍ଧି ପାଇବା ସହିତ ରପ୍ତାନୀ ବୃଦ୍ଧି ପାଇବ ।
ଦୁଇ ଦେଶ କୃଷିଜାତ ଦ୍ରବ୍ୟ ଉତ୍ପାଦନ ଉପରେ କାମ କରିବେ । ଏହି ଚୁକ୍ତିନାମା ବିଶେଷ ଭାବରେ କୃଷି କ୍ଷେତ୍ରରେ ସହଯୋଗ ପାଇଁ ବ୍ୟବସ୍ଥା କରିଛି । କିୱି, ସେଓ ଏବଂ ମହୁ ଭଳି କ୍ଷେତ୍ରରେ ଉତ୍ପାଦକତା ଏବଂ କ୍ଷମତା ବୃଦ୍ଧି ପାଇଁ ଦୁଇ ଦେଶ ଏକାଠି କାମ କରିବେ । ଉଦ୍ଭିଦ ସାମଗ୍ରୀ, ଗବେଷଣା, ବୈଷୟିକ ସହାୟତା, ବଗିଚା ପରିଚାଳନା, ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ, ଯୋଗାଣ ଶୃଙ୍ଖଳା ଏବଂ ଖାଦ୍ୟ ସୁରକ୍ଷା ଉପରେ ସହଯୋଗ କେନ୍ଦ୍ରିତ ହେବ । ଏହା ଭାରତୀୟ ଚାଷୀ ଏବଂ ଉତ୍ପାଦକଙ୍କ କ୍ଷମତା ବୃଦ୍ଧି କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି ।ନ୍ୟୁଜିଲ୍ୟାଣ୍ଡ ୧୧୮ ଟି ସେବା କ୍ଷେତ୍ରରେ ସହମତି ପ୍ରକାଶ କରିଛି ଏବଂ ୧୩୯ ଟି କ୍ଷେତ୍ରରେ ସବୁଠାରୁ ପସନ୍ଦ ରାଷ୍ଟ୍ରର ମାନ୍ୟତା ପ୍ରଦାନ କରିଛି । ଏହା ଭାରତୀୟ ସେବା କମ୍ପାନୀଗୁଡ଼ିକୁ ମାର୍କେଟରେ ପ୍ରବେଶ କରିବାକୁ ଏକ ମୁକ୍ତ ପଥ ପ୍ରଦାନ କରିବ ।
ଖାଲି ସେତିକି ନୁହେଁ ଏକ ଅସ୍ଥାୟୀ ନିଯୁକ୍ତି ପ୍ରବେଶ ଭିସା ବ୍ୟବସ୍ଥା ୫୦୦୦ ହଜାର ଛାତ୍ରଛାତ୍ରୀଙ୍କୁ କୋଟା ପ୍ରଦାନ କରିବ । ତିନି ବର୍ଷ ପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡରେ ରହିବା ଏବଂ କାମ କରିବାର ଅନୁମତି ଦେବ । ଏଥିରେ ଆୟୁଷ ଅଭ୍ୟାସକାରୀ, ଯୋଗ ଶିକ୍ଷକ, ଭାରତୀୟ ରୋଷେୟା, ସଙ୍ଗୀତ ଶିକ୍ଷକ, ଆଇଟି, ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ନିର୍ମାଣ କ୍ଷେତ୍ରରେ ବୃତ୍ତିଗତ ମଧ୍ୟ ଅନ୍ତର୍ଭୁକ୍ତ । ୱାର୍କିଂ ହଲିଡେ ଭିସା ବ୍ୟବସ୍ଥା ଅଧୀନରେ, ପ୍ରତିବର୍ଷ 1,000 ଯୁବ ଭାରତୀୟ 12 ମାସ ପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡ ପରିଦର୍ଶନ କରିପାରିବେ। ଛାତ୍ର ଯାତ୍ରା ଏବଂ ଅଧ୍ୟୟନ ପରବର୍ତ୍ତୀ କାର୍ଯ୍ୟ ପାଇଁ ମଧ୍ୟ ନିୟମ ସ୍ଥାପନ କରାଯାଇଛି। ଯୋଗ୍ୟ ଭାରତୀୟ ଛାତ୍ରମାନେ ସେମାନଙ୍କ ପାଠପଢ଼ା ସମୟରେ ସପ୍ତାହକୁ 20 ଘଣ୍ଟା ପର୍ଯ୍ୟନ୍ତ କାମ କରିପାରିବେ। ସେମାନଙ୍କ ଯୋଗ୍ୟତା ଉପରେ ନିର୍ଭର କରି, ସେମାନେ ସେମାନଙ୍କର ପାଠପଢ଼ା ସମାପ୍ତ କରିବା ପରେ ଏକ ଲମ୍ବା କାର୍ଯ୍ୟ ଭିସା ପାଇଁ ଯୋଗ୍ୟ ହେବେ ।
ସେହିପରି ନ୍ୟୁଜିଲାଣ୍ଡରୁ ଭାରତକୁ ରପ୍ତାନି ପାଇଁ ୭୦.୦୩ ପ୍ରତିଶତ ଟାରିଫ୍ ଲାଇନରେ ବଜାର ପ୍ରବେଶ ମଞ୍ଜୁର କରାଯାଇଛି । ଏହା ଦ୍ୱିପାକ୍ଷିକ ବାଣିଜ୍ୟର ପ୍ରାୟ ୯୫ ପ୍ରତିଶତକୁ ସାମିଲ କରୁଛି । ଭାରତ ୨୯.୯୭ ପ୍ରତିଶତ ଟାରିଫ୍ ଲାଇନକୁ ବାଦ ଦେଇଛି । ଏଥିରେ ଦୁଗ୍ଧଜାତ ଦ୍ରବ୍ୟ, ଅନେକ କୃଷି ସାମଗ୍ରୀ, ଚିନି, କିଛି ଧାତୁ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସାମଗ୍ରୀ ଅନ୍ତର୍ଭୁକ୍ତ । ୩୦ ପ୍ରତିଶତ ଟାରିଫ୍ ଲାଗୁଥିବା କାଠ, ପଶମ, ମେଣ୍ଢା ମାଂସ ଏବଂ କଞ୍ଚା ଚମଡ଼ା ଭଳି ଜିନିଷଗୁଡ଼ିକ ଉପରେ ଶୁଳ୍କ ତୁରନ୍ତ ଉଚ୍ଛେଦ କରାଯିବ । ଅବଶିଷ୍ଟ ୩୫.୬୦ ପ୍ରତିଶତ ଟାରିଫ୍ ଲାଇନରେ ଶୁଳ୍କକୁ ତିନି, ପାଞ୍ଚ, ସାତ କିମ୍ବା ଦଶ ବର୍ଷ ମଧ୍ୟରେ ଧୀରେ ଧୀରେ ଉଚ୍ଛେଦ କରାଯିବ । ମଦ, ଔଷଧ, ପଲିମର ଏବଂ କିଛି ଆଲୁମିନିୟମ, ଲୁହା ଏବଂ ଇସ୍ପାତ ଉତ୍ପାଦ ଭଳି କିଛି ଉତ୍ପାଦ ଉପରେ ଶୁଳ୍କ ହ୍ରାସ କରାଯିବ । ମାନୁକା ମହୁ, ସେଓ, କିୱି ଏବଂ ଆଲବୁମିନ୍ ଭଳି କିଛି ଦ୍ରବ୍ୟ ଉପରେ ଶୁଳ୍କ-ହାର କୋଟା ଲାଗୁ ହେବ। ଏହାର ଅର୍ଥ ହେଉଛି ସୀମିତ ପରିମାଣକୁ କମ୍ ଶୁଳ୍କରେ ଆମଦାନି କରିବାକୁ ଅନୁମତି ଦିଆଯିବ।