ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ନୂତନ ଏବଂ ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ 'ଏକ୍ସ' (X) ଜରିଆରେ ଏହି ସୂଚନା ଦିଆଯାଇଛି । ପୂର୍ବରୁ ବହି ଗୁଡ଼ିକରେ ରହିଥିବା ଅନେକ ତ୍ରୁଟିକୁ ସଂଶୋଧନ କରାଯିବା ପରେ ଏହି ନୂତନ ସଂଶୋଧିତ ପୁସ୍ତକଗୁଡ଼ିକୁ ସ୍କୁଲଗୁଡ଼ିକରେ ବଣ୍ଟାଯାଉଛି।
ସୂଚନା ଥାଉକି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୫ଟି ପାଠ୍ୟପୁସ୍ତକର ବିସ୍ତୃତ ସମୀକ୍ଷା କରାଯାଇ ତ୍ରୁଟିଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ସଂଶୋଧନ କରାଯାଇଛି। ୨୭ ଜଣରୁ ଅଧିକ ଭାଷା ବିଶେଷଜ୍ଞ ଏହି ପୁସ୍ତକଗୁଡ଼ିକର ଯାଞ୍ଚ କରିଛନ୍ତି। ପାଠ୍ୟପୁସ୍ତକଗୁଡ଼ିକରେ ଥିବା ପ୍ରାୟ ୧,୬୭୮ଟି ଭୁଲ୍କୁ ଚିହ୍ନଟ କରାଯାଇ ଏହି ସଂଶୋଧିତ ସଂସ୍କରଣ ପ୍ରସ୍ତୁତ କରାଯାଇଛି। ରାଜ୍ୟର ବିଭିନ୍ନ ସରକାରୀ ବିଦ୍ୟାଳୟରେ ପଢୁଥିବା ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହି ନୂତନ ଓ ସଂଶୋଧିତ ବହି ଯୋଗାଇ ଦିଆଯିବ।
ପୂର୍ବରୁ ପୁସ୍ତକରେ ତ୍ରୁଟି ବିଚ୍ୟୁତିକୁ ନେଇ ବିବାଦ ଦେଖାଦେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା ଏବଂ ଅବହେଳା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ପିଲାମାନଙ୍କ ପାଠପଢ଼ାରେ ଯେପରି କୌଣସି ବ୍ୟାଘାତ ସୃଷ୍ଟି ନହୁଏ, ସେଥିପାଇଁ ଗଣଶିକ୍ଷା ବିଭାଗ ସଚିବ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପୁସ୍ତକ ବଣ୍ଟନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି।