ଫୁଲବାଣୀ: ବଙ୍ଗୋପସାଗରର ଗଭୀର ଅବପାତ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ସେପ୍ଟେମ୍ବର ୨୩ ଓ ୨୪ ତାରିଖ ଦୁଇ ଦିନ କଳିଙ୍ଗ ଘାଟ ଦେଇ ସମସ୍ତ ପ୍ରକାର ଯାନଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି କନ୍ଧମାଳ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଘୋଷଣା କରିଛନ୍ତି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କବାଣୀ ଅନୁଯାୟୀ, ୨୩ ଓ ୨୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ କଳିଙ୍ଗ ଘାଟରେ ଭୂସ୍ଖଳନ, ପଥର ଖସିବା ଓ କାଦୁଅ ସ୍ରୋତ ରାସ୍ତାକୁ ଆସିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏହି କଟକଣା ଲାଗୁ କରାଯାଇଛି।
ଗତ ବର୍ଷ ସେପ୍ଟେମ୍ବରରେ ଲଘୁଚାପଜନିତ ବର୍ଷା ଯୋଗୁ କଳିଙ୍ଗ ଘାଟରେ ଭୟଙ୍କର ଭୂସ୍ଖଳନ ଘଟିଥିଲା। ପାହାଡ଼ରୁ କାଦୁଅ ଓ ପାଣିର ସୁଅ ଖସି ଜାତୀୟ ରାଜପଥ ଉପରେ ପଡ଼ିବାରୁ ଫୁଲବାଣୀ–ବ୍ରହ୍ମପୁର ସଂଯୋଗକାରୀ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ୪୭ ଦିନ ଧରି ବନ୍ଦ ରହିଥିଲା। ସେହି ଅନୁଭୂତିକୁ ଦୃଷ୍ଟିରେ ରଖି ଏଥର ଆଗୁଆ ସତର୍କତା ଅବଲମ୍ବନ କରାଯାଇଛି। ଜିଲ୍ଲାପାଳ ସମସ୍ତ ଯାତ୍ରୀ, ବସ୍ ଓ ମାଲବାହୀ ଯାନ ଚାଳକଙ୍କୁ ବିକଳ୍ପ ରୁଟ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।
ଏହାସହ କନ୍ଧମାଳ ଜିଲ୍ଲାରେ ଜରୁରୀକାଳୀନ ଟିମ୍ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଥିବାବେଳେ, ପାହାଡ଼ିଆ ଘାଟ ଅଞ୍ଚଳରେ ଜଳଜମା କିମ୍ବା ରାସ୍ତା ଅବରୋଧ ହେଲେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନ ସଜାଗ ରହିଛି।