ରାଞ୍ଚି: ଟ୍ରେନ୍ ବିଳମ୍ବ ହେବା ଏବେ ରେଲୱେ ପାଇଁ ମହଙ୍ଗା ପଡ଼ିଛି। ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୮ ଘଣ୍ଟା ୪୮ ମିନିଟ୍ ବିଳମ୍ବରେ ଟ୍ରେନ୍ ପହଞ୍ଚିବା ଘଟଣାରେ ରେଲୱେକୁ ଜରିମାନା କରିଛନ୍ତି ଝାଡ଼ଖଣ୍ଡର ଏକ ଜିଲ୍ଲା ଉପଭୋକ୍ତା ଆୟୋଗ। ଅଭିଯୋଗକାରୀ ଯାତ୍ରୀଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ସହ ମାମଲା ଓ ଅଦାଲତ ଖର୍ଚ୍ଚ ବାବଦକୁ ଅତିରିକ୍ତ ୫ ହଜାର ଟଙ୍କା ପ୍ରଦାନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଟାଟାନଗରରୁ ସମ୍ବଲପୁର ଯାତ୍ରା ପାଇଁ ସଞ୍ଜୟ କୁମାର ଇସ୍ପାତ ଏକ୍ସପ୍ରେସର ଦୁଇଟି ସ୍ଲିପର କ୍ଲାସ୍ ଟିକେଟ୍ ବୁକ୍ କରିଥିଲେ। ୨୦୨୪ ସେପ୍ଟେମ୍ବର ୨୩ରେ ଯାତ୍ରା ପାଇଁ ବୁକ୍ ହୋଇଥିବା ଟିକେଟ୍ ଅନୁସାରେ, ଟ୍ରେନ୍ ଟାଟାନଗରରୁ ସକାଳ ୧୦ଟା ୧୮ ମିନିଟ୍ରେ ଛାଡ଼ି ଅପରାହ୍ଣ ୩ଟା ୫୦ରେ ସମ୍ବଲପୁର ପହଞ୍ଚିବାର ଥିଲା।
କିନ୍ତୁ ଟ୍ରେନ୍ ନିର୍ଦ୍ଧାରିତ ସମୟର ପ୍ରାୟ ୮ ଘଣ୍ଟା ୪୫ ମିନିଟ୍ ବିଳମ୍ବରେ ସମ୍ବଲପୁରରେ ପହଞ୍ଚିଥିଲା। ଏହାକୁ ନେଇ ସଞ୍ଜୟ କୁମାର ମାନସିକ ଓ ଶାରୀରିକ ଯନ୍ତ୍ରଣାର ଅଭିଯୋଗ କରି ଉପଭୋକ୍ତା ଆୟୋଗର ଦ୍ୱାରସ୍ଥ ହୋଇଥିଲେ। ସେ ରେଲୱେଠାରୁ ୪ ଲକ୍ଷ ୫ ହଜାର ଟଙ୍କା କ୍ଷତିପୂରଣ ଦାବି କରିଥିଲେ।
ଶୁଣାଣି ସମୟରେ ରେଲୱେ ପକ୍ଷରୁ ଅଭିଯୋଗକାରୀଙ୍କ ପ୍ରକୃତ ଆର୍ଥିକ କ୍ଷତିର ପ୍ରମାଣ ନଥିବା ଯୁକ୍ତି ଦିଆଯାଇଥିଲା। ଏହାସହ ମାମଲାଟି ଉପଭୋକ୍ତା ଆୟୋଗ ପରିବର୍ତ୍ତେ ରେଲୱେ କ୍ଲେମ୍ସ ଟ୍ରିବ୍ୟୁନାଲ ଅଧୀନରେ ଆସିବା କଥା ବୋଲି ରେଲୱେ ଯୁକ୍ତି ରଖିଥିଲା।
ତେବେ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟକୁ ଆଧାର କରି ଆୟୋଗ ରେଲୱେର ଏହି ଯୁକ୍ତିକୁ ଖାରଜ କରିଥିଲେ। ଏପରି ଅଭିଯୋଗର ଶୁଣାଣି କରିବାକୁ ଉପଭୋକ୍ତା ଫୋରମର ଅଧିକାର ରହିଛି ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି।
ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ୪୫ ଦିନ ମଧ୍ୟରେ ଅର୍ଥ ପୈଠ କରିବାକୁ ରେଲୱେକୁ କୁହାଯାଇଛି। ନିର୍ଦ୍ଧାରିତ ସମୟରେ ଟଙ୍କା ନଦେଲେ ରାୟ ପ୍ରକାଶ ଦିନଠାରୁ ସମ୍ପୂର୍ଣ୍ଣ ଅର୍ଥ ପୈଠ ହେବା ପର୍ଯ୍ୟନ୍ତ ବାର୍ଷିକ ୧୨ ପ୍ରତିଶତ ସୁଧ ଦେବାକୁ ପଡ଼ିବ।