ରାୟଗଡ଼ା: MMDR ଆମେଣ୍ଡମେଣ୍ଟ ଆକ୍ଟ-୨୦୨୬କୁ ନେଇ ତେଜିଛି ବିରୋଧ। ବିଲ୍ ପ୍ରତ୍ୟାହାର ଦାବିରେ ଆଜି ରାୟଗଡ଼ାରେ INDIA ବ୍ଲକ୍ ପକ୍ଷରୁ ବିଶାଳ ସମାବେଶ ଓ ରାଲି ଆୟୋଜିତ ହୋଇଛି। କପିଳାଶ ଛକରୁ ବାହାରିଥିବା ରାଲିରେ ବିଭିନ୍ନ ବିରୋଧୀ ଦଳର ନେତା, କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ। ଆୟୋଜକଙ୍କ ଦାବି ଅନୁଯାୟୀ, ସମାବେଶରେ ପ୍ରାୟ ୨୫ରୁ ୩୦ ହଜାର ଲୋକ ଯୋଗ ଦେଇଛନ୍ତି।
ସମାବେଶରେ ପିସିସି ସଭାପତି ଭକ୍ତଚରଣ ଦାସ, ଏଆଇସିସି ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ଜୟଦେବ ଜେନା ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ ବିଭିନ୍ନ ଦଳର ନେତା ଓ କର୍ମୀ ସାମିଲ ହୋଇଥିଲେ।
MMDR ଆମେଣ୍ଡମେଣ୍ଟ ଆକ୍ଟକୁ ନେଇ INDIA ବ୍ଲକ୍ ପୂର୍ବରୁ ରାଜ୍ୟବ୍ୟାପୀ ଆନ୍ଦୋଳନର ଘୋଷଣା କରିଛି। ରାୟଗଡ଼ା ପରେ ଆସନ୍ତା ୨୪ ତାରିଖରେ କେନ୍ଦୁଝର ଓ ୨୬ ତାରିଖରେ ଅନୁଗୋଳରେ ଆନ୍ଦୋଳନ କରିବା ସହ ୨୯ ସେପ୍ଟେମ୍ବରରେ ଓଡ଼ିଶା ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।
ଅନ୍ୟପଟେ, MMDR ଆମେଣ୍ଡମେଣ୍ଟକୁ ନେଇ ବିରୋଧୀ ଦଳଗୁଡ଼ିକର ଆପତ୍ତି ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଆଇନକୁ ନେଇ ଭିନ୍ନ ମତ ରହିଛି। ଆସନ୍ତା ୨୨ ତାରିଖରୁ ଆରମ୍ଭ ହେଉଥିବା ଓଡ଼ିଶା ବିଧାନସଭା ଅଧିବେଶନରେ ମଧ୍ୟ MMDR ଆମେଣ୍ଡମେଣ୍ଟ ଏକ ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି।