ଭୁବନେଶ୍ୱର: ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ଶେଷ ହୋଇଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏନେଇ ପ୍ରେସମିଟ୍ରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଓଡ଼ିଶା ପାଇଁ ଏସଆଇଆର (SIR)ର ଯୋଗ୍ୟତା ତାରିଖ ୧ ଜୁଲାଇ ୨୦୨୬ ରଖାଯାଇଥିଲା।
ଚୂଡ଼ାନ୍ତ ତାଲିକା ଅନୁସାରେ ରାଜ୍ୟରେ ବର୍ତମାନ ମୋଟ ୩,୧୬,୩୨,୭୫୪ ଜଣ ଭୋଟର ରହିଛନ୍ତି। ଏଥିରେ ୧,୬୧,୩୦,୩୧୯ ଜଣ ପୁରୁଷ, ୧,୫୪,୯୯,୬୬୧ ଜଣ ମହିଳା ଏବଂ ୨୭୪ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। ଡ୍ରାଫ୍ଟ ତାଲିକାରେ ଥିବା ୩,୧୩,୮୭,୦୩୪ ଭୋଟରଙ୍କ ତୁଳନାରେ ଚୂଡ଼ାନ୍ତ ତାଲିକାରେ ୨,୪୫,୭୨୦ ଜଣ ଭୋଟର ବୃଦ୍ଧି ହୋଇଛି। ବିଭିନ୍ନ କାରଣରୁ ୨୦ ଲକ୍ଷ ୫୬ ହଜାର ନାଁ ବାଦ୍ ପଡ଼ିଛି। ଏସଆଇଆର (SIR) ପୂର୍ବରୁ ରାଜ୍ୟରେ ୩,୩୩,୯୯,୫୯୧ ଜଣ ଭୋଟର ଥିଲେ।
ଏସଆଇଆର (SIR) ପ୍ରକ୍ରିୟାରେ ମୋଟ ୩,୧୩,୮୭,୦୩୪ଟି ଏନୁମେରେସନ୍ ଫର୍ମ ଫେରିଥିବା ବେଳେ ୨୦,୧୨,୫୫୭ଟି ଫର୍ମ ଫେରିନଥିଲା। ଏଥିରେ ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ ଓ ନକଲି ଭୋଟରଙ୍କ ମାମଲା ରହିଥିଲା। ଡ୍ରାଫ୍ଟ ତାଲିକା ପ୍ରକାଶ ପରେ ଦାବି ଓ ଆପତ୍ତି ଦାଖଲ ପାଇଁ ସୁଯୋଗ ଦିଆଯାଇଥିଲା। ଆବଶ୍ୟକ ଯାଞ୍ଚ ଓ ଶୁଣାଣି ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇଛି। ଭୋଟରମାନେ ଚୂଡ଼ାନ୍ତ ତାଲିକାରେ ନିଜ ନାମ ଯାଞ୍ଚ କରିପାରିବେ।