ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୁଣି ଜମିବ କଲେଜ କ୍ୟାମ୍ପସରେ ନିର୍ବାଚନୀ ମାହୋଲ। ଆସନ୍ତାକାଲି ଅକ୍ଟୋବର ୧୫ରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ହେବ ଛାତ୍ର ସଂସଦ ନିର୍ବାଚନ। କିଏ ହେବ କ୍ୟାମ୍ପସର ନୂଆ ନେତା, କାହା ଉପରେ ଭରସା କରିବେ ଛାତ୍ରଛାତ୍ରୀ, ତାହାର ନିଷ୍ପତ୍ତି ନେବେ ଭୋଟର। ନିର୍ବାଚନକୁ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ଉତ୍ସାହ ଦେଖାଦେଇଥିବାବେଳେ କିଛି ସ୍ଥାନରେ ହିଂସା ଘଟଣା ଚିନ୍ତା ବଢ଼ାଇଛି। କେଉଁଠି ବୋମାମାଡ଼ ତ ଆଉ କେଉଁଠି ଛାତ୍ରଙ୍କ ମଧ୍ୟରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ତେଣୁ ମତଦାନ ପୂର୍ବରୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ହିଂସା ନୁହେଁ, ଗଣତାନ୍ତ୍ରିକ ଉପାୟରେ ବାଛନ୍ତୁ ନେତା
ଛାତ୍ର ସଂସଦ ନିର୍ବାଚନ ଛାତ୍ରଛାତ୍ରୀଙ୍କୁ ନେତୃତ୍ୱ ନେବାର ସୁଯୋଗ ଦେବ ବୋଲି ମନ୍ତ୍ରୀ କହିଛନ୍ତି। ଦୀର୍ଘ ବର୍ଷ ପରେ ନିର୍ବାଚନ ଆରମ୍ଭ ହେଉଥିବାରୁ ଏହା ଛାତ୍ର ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ଆଜିର ଅଭିଜ୍ଞତା ଭବିଷ୍ୟତରେ ରାଜ୍ୟ ଓ ଦେଶର ନେତୃତ୍ୱ ନେବାରେ ସହାୟକ ହେବ। ତେଣୁ ଛାତ୍ରଛାତ୍ରୀ ହିଂସାରୁ ଦୂରେଇ ରହି ଶାନ୍ତି ଓ ଶୃଙ୍ଖଳାର ସହ ମତଦାନ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।
କଣ୍ଟ୍ରୋଲ ରୁମ୍ରୁ ନିର୍ବାଚନ ଉପରେ ନଜର
ଅନ୍ୟପଟେ, ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୋଲିସ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି। ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ସ୍ଥିତି ଉପରେ ନିୟମିତ ନଜର ରଖାଯିବ। ନିର୍ବାଚନ ସମୟରେ ଯେପରି କୌଣସି ଅପ୍ରୀତିକର ଘଟଣା ନଘଟେ, ସେଥିପାଇଁ ନିରନ୍ତର ନିରୀକ୍ଷଣ କରାଯିବ।
ଏବେ ଅପେକ୍ଷା ଅକ୍ଟୋବର ୧୫କୁ। ଦୀର୍ଘ ୮ ବର୍ଷ ପରେ ଫେରିଥିବା ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀ କାହାକୁ ନିଜ ପ୍ରତିନିଧି ବାଛୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।