ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ପୁଣି ବଢ଼ିବା ଆଶଙ୍କା ଦେଖାଦେଇଛି। ଇରାନ ବିରୋଧରେ ଆଉ ଏକ ସାମରିକ ଅଭିଯାନ ଆରମ୍ଭ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଚାପ ପକାଉଥିବା ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦି ଫାଇନାନ୍ସିଆଲ୍ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ନେତାନ୍ୟାହୁ ପ୍ରାୟ ପ୍ରତିଦିନ ଟ୍ରମ୍ପଙ୍କୁ ଫୋନ୍ କରି ଇରାନ ଉପରେ ପୁଣି ଆକ୍ରମଣ ଆରମ୍ଭ କରିବାକୁ ଅନୁରୋଧ କରୁଛନ୍ତି।
ତେବେ ଆମେରିକା ପ୍ରଶାସନର ସମସ୍ତ ମହଲ ଏହି ପ୍ରସ୍ତାବକୁ ସମର୍ଥନ କରୁନାହାନ୍ତି। ହ୍ୱାଇଟ୍ ହାଉସ୍ ଭିତରେ ଓ ବାହାରେ ଥିବା କିଛି ପ୍ରଭାବଶାଳୀ ବ୍ୟକ୍ତି ଯୁଦ୍ଧ ପୁଣି ଆରମ୍ଭ ନହେଉ ବୋଲି ଚାହୁଁଛନ୍ତି। ଅନ୍ୟପଟେ ମଧ୍ୟପ୍ରାଚ୍ୟର ଅନେକ ଦେଶର ନେତା ମଧ୍ୟ ସାମରିକ ସଂଘର୍ଷ ପରିବର୍ତ୍ତେ କୂଟନୈତିକ ଆଲୋଚନାକୁ ଗୁରୁତ୍ୱ ଦେବାକୁ ଟ୍ରମ୍ପଙ୍କୁ ପରାମର୍ଶ ଦେଉଥିବା ରିପୋର୍ଟରେ କୁହାଯାଇଛି।
ଆକ୍ରମଣ ପରିବର୍ତ୍ତେ ଆର୍ଥିକ ଅବରୋଧ ଉପରେ ଟ୍ରମ୍ପଙ୍କ ଗୁରୁତ୍ୱ
କତାରର ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲ୍ ରହମାନ ଅଲ୍ ଥାନିଙ୍କ ସହ ଆଲୋଚନା ପରେ ଟ୍ରମ୍ପ ଇରାନ ବିରୋଧରେ ତୁରନ୍ତ ନୂଆ ଆକ୍ରମଣ ହେବାର ସମ୍ଭାବନା କମ୍ ଥିବା ସଙ୍କେତ ଦେଇଛନ୍ତି। ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍'ରେ ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ, କତାର, ସାଉଦି ଆରବ, ୟୁଏଇ, ବାହାରିନ୍ ଓ କୁଏତ ସମେତ ଅନେକ ଦେଶ ବର୍ତ୍ତମାନର ସ୍ଥିତିକୁ ବଜାୟ ରଖିବା ସପକ୍ଷରେ ଅଛନ୍ତି।
ଇରାନ ଉପରେ ପୁଣି ସାମରିକ ଆକ୍ରମଣ କରିବା ପରିବର୍ତ୍ତେ ଆର୍ଥିକ ନାକାବନ୍ଦୀ ଲାଗୁ କରିବାକୁ ଏହି ଦେଶଗୁଡ଼ିକ ଅଧିକ ପସନ୍ଦ କରୁଥିବା ଟ୍ରମ୍ପ ସୂଚାଇଛନ୍ତି। ଏଥିସହ ସଂଘର୍ଷର ଅନ୍ତ ଘଟାଇବା ଦିଗରେ ସକାରାତ୍ମକ ଅଗ୍ରଗତି ହେଉଥିବା ଏବଂ ଆମେରିକାର ସ୍ୱାର୍ଥ ସୁରକ୍ଷିତ ରଖିବାକୁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ଆରବ ଦେଶଗୁଡ଼ିକରେ ବଢ଼ିଲା ଚିନ୍ତା
ନେତାନ୍ୟାହୁଙ୍କ ପକ୍ଷରୁ ଇରାନ ବିରୋଧରେ ପୁଣି ଯୁଦ୍ଧ ଆରମ୍ଭ କରିବାକୁ ଉଦ୍ୟମ ହେଉଥିବା ଖବର ଆରବ ଓ ମୁସଲିମ୍ ଦେଶଗୁଡ଼ିକର ନେତାଙ୍କ ଚିନ୍ତା ବଢ଼ାଇଛି। ମଧ୍ୟପ୍ରାଚ୍ୟରେ ନୂଆ ସାମରିକ ସଂଘର୍ଷ ଆରମ୍ଭ ହେଲେ ଏହାର ପ୍ରଭାବ ସମଗ୍ର ଅଞ୍ଚଳର ଅର୍ଥନୀତି ଓ ସୁରକ୍ଷା ବ୍ୟବସ୍ଥା ଉପରେ ପଡ଼ିପାରେ।
ଏହି ପରିପ୍ରେକ୍ଷୀରେ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ, ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ, କତାରର ଅମୀର ଶେଖ୍ ତମିମ୍ ବିନ୍ ହମଦ ଅଲ୍ ଥାନି ଏବଂ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ ଟ୍ରମ୍ପଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଥିବା ରିପୋର୍ଟରେ ଦାବି କରାଯାଇଛି। ସମସ୍ତଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉତ୍ତେଜନା ହ୍ରାସ କରିବା ଏବଂ ଇରାନ ସହ ଆଲୋଚନା ମାଧ୍ୟମରେ ସମାଧାନର ବାଟ ଖୋଜିବା।