ୟେମେନର ସାନା ପ୍ରଦେଶରେ ଭୟଙ୍କର ବିମାନ ଆକ୍ରମଣକୁ ନେଇ ଚାଞ୍ଚଲ୍ୟ। ହୁତି ଅଧିକାରୀଙ୍କ ଦାବି ଅନୁସାରେ, ସାଉଦି ନେତୃତ୍ୱାଧୀନ ମିଳିତ ମେଣ୍ଟ ଅଲ୍-ସାରିଆ ଗାଁକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ୩୩ ଜଣଙ୍କ ଜୀବନ ଯାଇଥିବାବେଳେ ୩୯ ଜଣ ଆହତ ହୋଇଛନ୍ତି।
ମୃତକଙ୍କ ମଧ୍ୟରେ ୧୩ ଶିଶୁ
ହୁତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଅନିସ୍ ଅଲ୍-ଆସବାହିଙ୍କ ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରେ ୧୨ ଜଣ ପୁରୁଷ, ୮ ଜଣ ମହିଳା ଓ ୧୩ ଜଣ ଶିଶୁ ଅଛନ୍ତି। ସେହିପରି ଆହତଙ୍କ ମଧ୍ୟରେ ୧୬ ଜଣ ପୁରୁଷ, ୧୦ ଜଣ ମହିଳା ଓ ୧୩ ଜଣ ଶିଶୁ ରହିଛନ୍ତି।
ଆକ୍ରମଣ ପରେ ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବାରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ହୁତି ଅଧିକାରୀଙ୍କ ଅଭିଯୋଗ ଅନୁସାରେ, ଉଦ୍ଧାରକାରୀ ଦଳକୁ ମଧ୍ୟ ବିମାନରୁ ଦୁଇଥର ଟାର୍ଗେଟ କରାଯାଇଥିଲା।
ଆକ୍ରମଣ ନେଇ ନୀରବ ସାଉଦି ଆରବ
ହୁତି ଗୋଷ୍ଠୀର ଅଲ୍-ମାସିରା ଟିଭି ଆକ୍ରମଣ ସ୍ଥଳର ଭିଡିଓ ପ୍ରସାରଣ କରିଛି। ଏଥିରେ ଧୂଆଁ ଉଠୁଥିବା, ଭଗ୍ନାବଶେଷ ଓ ଆହତଙ୍କୁ ଡାକ୍ତରଖାନା ନିଆଯାଉଥିବାର ଦୃଶ୍ୟ ଦେଖାଯାଇଛି। ତେବେ ଏହି ଆକ୍ରମଣ ସମ୍ପର୍କରେ ସାଉଦି ଆରବ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
ୟେମେନରେ ବଢ଼ୁଛି ମାନବୀୟ ସଙ୍କଟ
ୟେମେନରେ ଗୃହଯୁଦ୍ଧ ଓ ସଂଘର୍ଷ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି। ଜାତିସଂଘର ତଥ୍ୟ ଅନୁସାରେ, ସଂଘର୍ଷ ପୁଣି ଆରମ୍ଭ ହେବା ପରଠାରୁ ୧୬୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ୩ ଲକ୍ଷରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି। ଏହି ନୂଆ ଆକ୍ରମଣ ପରେ ଅଞ୍ଚଳରେ ମାନବୀୟ ସଙ୍କଟ ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି।